ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ ପବିତ୍ର ଇଦ୍ ଉଲ୍ ଜୁହା ପର୍ବ ଶାନ୍ତି, ଶୃଙ୍ଖଳା ଓ ଆନନ୍ଦର ସହ ପାଳିତ ହୋଇଯାଇଛି। ଇସଲାମ ଧର୍ମର ସବୁଠାରୁ ପବିତ୍ର ଓ ମହତ୍ୱପୂର୍ଣ୍ଣ ପର୍ବମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ଇଦ୍ ଉଲ୍ ଜୁହା, ଯାହା ତ୍ୟାଗ ଓ ବଳିଦାନର ପ୍ରତୀକ ଭାବେ ପରିଚିତ।
ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମୁସଲିମ୍ ଭାଇମାନେ ସକାଳୁ ଇଦଗାହାରେ ଏକତ୍ରିତ ହୋଇ ନମାଜ ପାଠ କରିଥିଲେ। ପରେ ପରସ୍ପରକୁ ଆଲିଙ୍ଗନ କରି ଇଦ୍ ର ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ବିଶ୍ୱ ଶାନ୍ତି, ସମ୍ପ୍ରୀତି ଓ ଭାଇଚାରା ପାଇଁ ବିଶେଷ ପ୍ରାର୍ଥନା କରାଯାଇଥିଲା।
ଇମାମମାନେ ତାଙ୍କ ବାର୍ତ୍ତାରେ ସମସ୍ତ ଧର୍ମ ଓ ଭିନ୍ନ ଭାଷାଭାଷୀ ଲୋକମାନଙ୍କ ସହ ମିଳିମିଶି ରହିବା ଓ ସାମ୍ପ୍ରଦାୟିକ ସମ୍ପ୍ରୀତିକୁ ମଜବୁତ କରିବାକୁ ଆହ୍ୱାନ ଦେଇଥିଲେ। ପର୍ବକୁ କେନ୍ଦ୍ର କରି ସମଗ୍ର ରାଇରଙ୍ଗପୁର ଅଞ୍ଚଳରେ ଖୁସି ଓ ଉତ୍ସାହର ପରିବେଶ ଦେଖିବାକୁ ମିଳିଥିଲା।