ସିଏନଜି ଦରରେ ପୁଣି ବୃଦ୍ଧି, ୧୧ ଦିନରେ ଚତୁର୍ଥ ଥର ମହଙ୍ଗା ମାଡ଼

ପେଟ୍ରୋଲ ଓ ଡିଜେଲ ପରେ ଏବେ ସିଏନଜି ଦର ମଧ୍ୟ ବଢ଼ିଛି । ଆଜି ସିଏନଜି ଦର ପ୍ରତି କିଲୋ ପିଛା ୨ ଟଙ୍କା ବୃଦ୍ଧି କରାଯାଇଛି । ଗତ ୧୧ ଦିନ ମଧ୍ୟରେ ଏହା ଚତୁର୍ଥ ଥର ପାଇଁ ସିଏନଜି ଦର ବୃଦ୍ଧି ହୋଇଛି । ନୂତନ ଦର ଅନୁଯାୟୀ, ସିଏନଜି ମୂଲ୍ୟ ୮୧ ଟଙ୍କା ୦୯ ପଇସାରୁ ବଢ଼ି ୮୩ ଟଙ୍କା ୦୯ ପଇସାକୁ ପହଞ୍ଚିଛି ।

ଦେଶର ବିଭିନ୍ନ ସହରରେ ମଧ୍ୟ ସିଏନଜି ଦରରେ ବୃଦ୍ଧି ଦେଖାଯାଇଛି । ମୁମ୍ବାଇ ରେ ସିଏନଜି ଦର ୮୧ ଟଙ୍କା ଥିବାବେଳେ, କୋଲକାତାରେ ଏହା ୯୩ ଟଙ୍କା ୫୦ ପଇସାକୁ ପହଞ୍ଚିଛି । ଚେନ୍ନାଇରେ ସିଏନଜି ଦର ୯୧ ଟଙ୍କା ୫୦ ପଇସା ରହିଛି । ସେହିପରି ବେଙ୍ଗାଲୁରୁରେ ସିଏନଜି ଦର ୯୦ ଟଙ୍କାକୁ ଛୁଇଁଛି । ଉର୍ଜା ବଜାରରେ କଚା ତେଲ ଓ ପ୍ରାକୃତିକ ଗ୍ୟାସ ମୂଲ୍ୟ ବୃଦ୍ଧିକୁ ଏହି ଦରବୃଦ୍ଧିର ମୁଖ୍ୟ କାରଣ ବୋଲି କୁହାଯାଉଛି । ଆନ୍ତର୍ଜାତିକ ବଜାରରେ ଇନ୍ଧନ ଦର ଅସ୍ଥିର ରହିଥିବାରୁ ଆଗାମୀ ଦିନରେ ମଧ୍ୟ ଇନ୍ଧନ ଦର ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ଏହା ସାଧାରଣ ଲୋକଙ୍କ ଘରୋଇ ବଜେଟ୍‌ ଉପରେ ଅଧିକ ଚାପ ସୃଷ୍ଟି କରିବ ବୋଲି ମତ ପ୍ରକାଶ ପାଉଛି ।