ଇରାନ ଉପରେ ବଡ଼ ଆକ୍ରମଣ ପାଇଁ ଟ୍ରମ୍ପଙ୍କ ପ୍ରସ୍ତୁତି ! ଅପରେସନ୍ ଏପିକ୍ ଫ୍ୟୁରି ୨.୦ କୁ ନେଇ ମଧ୍ୟପ୍ରାଚ୍ୟରେ ବଢ଼ିଲା ଉତ୍ତେଜନା

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚୀନ ଗସ୍ତ ପରେ ମଧ୍ୟପ୍ରାଚ୍ୟରେ ଏକ ନୂତନ ସାମରିକ ସଂକଟ ଦେଖାଦେବାର ସମ୍ଭାବନା ବଢ଼ିଛି। ଇରାନ ସହ ଚାଲିଥିବା ତୀବ୍ର ତଣାପୋଡ଼ ମଧ୍ୟରେ ଟ୍ରମ୍ପ ପ୍ରଶାସନ ଏକ କଠୋର ପଦକ୍ଷେପ ନେବାକୁ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି। ବିଶ୍ୱ ରାଜନୀତିରେ ଏହି ଖବର ଚର୍ଚ୍ଚାର ବିଷୟ ହୋଇପଡ଼ିଛି।

The New York Timesର ଏକ ରିପୋର୍ଟ ଅନୁଯାୟୀ, ଯଦି କୂଟନୈତିକ ଆଲୋଚନା ବିଫଳ ହୁଏ, ତେବେ ଆମେରିକା ଇରାନ ଉପରେ ବଡ଼ ଧରଣର ବିମାନ ଆକ୍ରମଣ କରିପାରେ। ଏହି ସମ୍ଭାବ୍ୟ ସାମରିକ ଅଭିଯାନକୁ “ଅପରେସନ୍ ଏପିକ୍ ଫ୍ୟୁରି ୨.୦” ନାମ ଦିଆଯାଇଥିବା ନେଇ ଚର୍ଚ୍ଚା ଚାଲିଛି। ସୂଚନା ମିଳିଛି ଯେ, ପେଣ୍ଟାଗନର ଶୀର୍ଷ ସାମରିକ ଅଧିକାରୀ ଓ ଯୋଜନାକାରୀମାନେ ଏହି ଅଭିଯାନ ପାଇଁ ପୂର୍ଣ୍ଣ ପ୍ରସ୍ତୁତି ଆରମ୍ଭ କରିଛନ୍ତି।ଇରାନର ପରମାଣୁ କାର୍ଯ୍ୟକ୍ରମ ଓ ମଧ୍ୟପ୍ରାଚ୍ୟରେ ତାହାର ବୃଦ୍ଧିଶୀଳ ପ୍ରଭାବକୁ ନେଇ ଆମେରିକା ଦୀର୍ଘଦିନ ଧରି ଚିନ୍ତା ପ୍ରକାଶ କରୁଛି। ଏପରି ସମୟରେ ଇରାନ ପକ୍ଷରୁ ଆସିଥିବା ଶାନ୍ତି ପ୍ରସ୍ତାବକୁ ଟ୍ରମ୍ପ ସିଧାସଳଖ ଭାବେ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ଟ୍ରମ୍ପ କହିଛନ୍ତି, “ମୁଁ ସେହି ପ୍ରସ୍ତାବକୁ ଦେଖିଥିଲି। ପ୍ରଥମ ଧାଡି ମୋତେ ପସନ୍ଦ ଆସିନଥିଲା, ସେଥିପାଇଁ ମୁଁ ଏହାକୁ ଫୋପାଡ଼ି ଦେଲି।” ତାଙ୍କ ଏହି ବୟାନ ପରେ ଦୁଇ ଦେଶର ସମ୍ପର୍କ ଆହୁରି ତୀବ୍ର ହୋଇପାରେ ବୋଲି ବିଶ୍ଳେଷକମାନେ କହୁଛନ୍ତି।

ବିଶେଷଜ୍ଞମାନଙ୍କ ମତରେ, ଯଦି ଆମେରିକା ସତରେ ଇରାନ ଉପରେ ସାମରିକ ଆକ୍ରମଣ କରେ, ତେବେ ଏହାର ପ୍ରଭାବ କେବଳ ମଧ୍ୟପ୍ରାଚ୍ୟରେ ସୀମିତ ରହିବ ନାହିଁ। ବିଶ୍ୱ ତୈଳ ବଜାର, ଆନ୍ତର୍ଜାତିକ ବ୍ୟାପାର ଓ ରାଜନୈତିକ ସମୀକରଣ ଉପରେ ମଧ୍ୟ ଏହାର ଗଭୀର ପ୍ରଭାବ ପଡ଼ିପାରେ। ବର୍ତ୍ତମାନ ସମଗ୍ର ବିଶ୍ୱର ନଜର ଆମେରିକାର ପରବର୍ତ୍ତୀ ପଦକ୍ଷେପ ଉପରେ ରହିଛି।