
ବିଜେଡି ଜନସାଧାରଣଙ୍କ ସ୍ୱର ହୋଇ ଲୋକଙ୍କ ସ୍ୱାର୍ଥ, ସୁରକ୍ଷା, ଆଇନ ଶୃଙ୍ଖଳା ପରିସ୍ଥିତି ଓ ଶାନ୍ତି ବ୍ୟବସ୍ଥା ପାଇଁ ସଦା ଲୋକଙ୍କ ସହ ରହିବ ବୋଲି ଦଳ ପକ୍ଷରୁ ଦାବି କରାଯାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ପୁରୀ ସମେତ ସମଗ୍ର ଓଡ଼ିଶାରେ ବିଜେଡି ଲୋକଙ୍କ ସ୍ୱାର୍ଥ ଓ ସୁରକ୍ଷା ପାଇଁ ସଦା ସକ୍ରିୟ ଥିଲା ଏବଂ ଆଗକୁ ମଧ୍ୟ ରହିବ ବୋଲି କହିଛି ଦଳ।
ବର୍ତ୍ତମାନର ବିଜେପି ଶାସନରେ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଅବନତି ହୋଇଛି ବୋଲି ଅଭିଯୋଗ କରି ବିଜେଡି ପକ୍ଷରୁ ପୁରୀ ଜିଲ୍ଲାରେ ବିକ୍ଷୋଭ ଓ ପ୍ରତିବାଦ କରାଯାଇଛି। ଏହା ସହ ଏସପି କାର୍ଯ୍ୟାଳୟ ଘେରାଉ କରାଯାଇଥିଲା।ସ୍ଥାନୀୟ ସୁବାଷ ବୋଷ ଛକରୁ ଶୋଭାଯାତ୍ରା ବାହାରି ଏସପି କାର୍ଯ୍ୟାଳୟ ନିକଟକୁ ପହଞ୍ଚିଥିଲା। ସେଠାରେ ପୋଲିସ ପକ୍ଷରୁ ଅଟକାଯିବା ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା ଏବଂ ଠେଲାପେଲା ଘଟିଥିଲା। ପରେ ଶତାଧିକ ବିଜେଡି କର୍ମୀ ବ୍ୟାରିକେଡ୍ ଭାଙ୍ଗି ଆଗକୁ ଯାଇଥିଲେ।ପରବର୍ତ୍ତୀ ସମୟରେ ବିଜେଡିର ଏକ ପ୍ରତିନିଧି ଦଳ ଏସପିଙ୍କୁ ଭେଟି ଜିଲ୍ଲାର ଆଇନଶୃଙ୍ଖଳା ସ୍ଥିତି ନେଇ ଆଲୋଚନା କରିଥିଲେ।

ବିଜେଡିର ଅଭିଯୋଗ ଅନୁଯାୟୀ, ଓଡ଼ିଶା ପୂର୍ବରୁ ଏକ ଶାନ୍ତିପ୍ରିୟ ରାଜ୍ୟ ଥିଲା, କିନ୍ତୁ ବର୍ତ୍ତମାନର ସରକାର ଆସିବା ପରେ ପୁରୀ ସମେତ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଅବନତି ହୋଇଛି। କଣାସରେ ଘଟିଥିବା ହିଂସା ଘଟଣା, ବ୍ରହ୍ମଗିରି ଅଞ୍ଚଳର ଅପରାଧ ମାମଲା, ବାଲିହରଚଣ୍ଡିରେ ଘଟିଥିବା ଗୁରୁତର ଅଭିଯୋଗ ଏବଂ ବଳଙ୍ଗାର ଘଟଣାକୁ ଉଲ୍ଲେଖ କରି ବିଜେଡି ପକ୍ଷରୁ ଆଇନଶୃଙ୍ଖଳା ନେଇ ପ୍ରଶ୍ନ ଉଠାଯାଇଛି। ଆଗାମୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଦୃଷ୍ଟିରେ ରଖି ଲକ୍ଷାଧିକ ଭକ୍ତଙ୍କ ସୁରକ୍ଷା ବ୍ୟବସ୍ଥା ନେଇ ମଧ୍ୟ ବିଜେଡି ପକ୍ଷରୁ ଚିନ୍ତା ବ୍ୟକ୍ତ କରାଯାଇଛି। ଏହି ପରିସ୍ଥିତିରେ ଭିଡ ନିୟନ୍ତ୍ରଣ ଓ ସୁରକ୍ଷା ବ୍ୟବସ୍ଥା କେମିତି ହେବ, ସେନେଇ ଦଳ ପ୍ରଶ୍ନ ଉଠାଇଛି।