ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାରର ଗଣତି ଓ ମଣତି କାର୍ଯ୍ୟକ୍ରମକୁ ନେଇ ଆସିଛି ବଡ଼ ସୂଚନା। ରତ୍ନଭଣ୍ଡାର ଗଣତି ହେବା ଦିନ ଶ୍ରୀମନ୍ଦିରର “ଭିତର କାଠ ଦର୍ଶନ” ସଂପୂର୍ଣ୍ଣ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ରତ୍ନଭଣ୍ଡାରର ଗଣତିମଣତି କାର୍ଯ୍ୟ ଚାଲିଥିବାରୁ ସୁରକ୍ଷା ଓ ନୀତିକାନ୍ତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି।

ସୋମବାର ମହାପ୍ରଭୁଙ୍କ ବଡ଼ ମହାସ୍ନାନ ନୀତି ଥିବାରୁ ରତ୍ନଭଣ୍ଡାର ଗଣତି କାମ ବିଳମ୍ବରେ ଆରମ୍ଭ ହୋଇଥିଲା। ମଧ୍ୟାହ୍ନ ଧୂପ ସମାପ୍ତ ପରେ ଭିତର ରତ୍ନଭଣ୍ଡାରର ଗଣତି ଓ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସମୟ ଅଭାବରୁ ସେହିଦିନ ପ୍ରାୟ ୩ ଘଣ୍ଟା ଧରି ମାତ୍ର ଗଣତି କାର୍ଯ୍ୟ ଚାଲିପାରିଥିଲା। ଏହି ବିଳମ୍ବ ପରିପ୍ରେକ୍ଷିତରେ ଆଗାମୀ ଗଣତି ଦିନ ଭକ୍ତମାନଙ୍କ ପାଇଁ ଭିତର କାଠ ଦର୍ଶନ ବନ୍ଦ ରଖିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। ସେପଟେ ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ କହିଛନ୍ତି ଯେ, ୧୯୭୮ ମସିହାରେ ପ୍ରସ୍ତୁତ ହୋଇଥିବା ତାଲିକା ସହ ବର୍ତ୍ତମାନର ଗଣତିମଣତି ପ୍ରକ୍ରିୟା ଶତ ପ୍ରତିଶତ ସମାନ ରହିଛି। ଏପର୍ଯ୍ୟନ୍ତ ଯାହା ଗଣନା କରାଯାଇଛି, ସେଥିରେ କୌଣସି ଅମିଳ ମିଳିନାହିଁ ବୋଲି ସେ ସୂଚନା ଦେଇଛନ୍ତି।
ରତ୍ନଭଣ୍ଡାରରେ ରହିଥିବା ଅଳଙ୍କାରଗୁଡ଼ିକରେ ଦୁର୍ଲଭ ମୋତି, ମାଣିକ ଓ ମୂଲ୍ୟବାନ ରତ୍ନ ଲାଗିଥିବାରୁ ଗଣତି ପ୍ରକ୍ରିୟାରେ ଜେମୋଲୋଜିଷ୍ଟ ବା ରତ୍ନ ବିଶାରଦଙ୍କ ସହଯୋଗ ନିଆଯାଉଛି। ପ୍ରତ୍ୟେକ ଅଳଙ୍କାରର ସଠିକ୍ ତଥ୍ୟ ସଂରକ୍ଷଣ ପାଇଁ ଫଟୋଗ୍ରାଫି, ଭିଡିଓଗ୍ରାଫି ସହ 3D ମାପିଂ ମଧ୍ୟ କରାଯାଉଛି।ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ରତ୍ନଭଣ୍ଡାରର ସମସ୍ତ ଅଳଙ୍କାରର ସୁରକ୍ଷିତ ତଥ୍ୟ ସଂଗ୍ରହ ଓ ଡିଜିଟାଲ ରେକର୍ଡ ପ୍ରସ୍ତୁତ କରିବା ହେଉଛି ଏହି ପ୍ରକ୍ରିୟାର ମୂଳ ଉଦ୍ଦେଶ୍ୟ। ଏହି କାମ ଶେଷ ହେବା ପର୍ଯ୍ୟନ୍ତ କଠୋର ସୁରକ୍ଷା ବ୍ୟବସ୍ଥା ଜାରି ରହିବ।