ଭାରତରେ ବଢ଼ିବ କି ତେଲ ସଙ୍କଟ ?
ପ୍ରଧାନମନ୍ତ୍ରୀଙ୍କ ଅପିଲକୁ ନେଇ ଚର୍ଚ୍ଚା
ବିଦେଶୀ ମୁଦ୍ରା ସଞ୍ଚୟ ଉପରେ ଜୋର
ସତ ହେଲା ରାହୁଲଙ୍କ ଆକଳନ ! ସଙ୍କଟ ପୂର୍ବରୁ ସତର୍କତା, ଦେଶ ପାଇଁ ମାଡ଼ି ଆସୁଛି କି ମହାବିପଦ ?
ପଶ୍ଚିମ ଏସିଆରେ ବୃଦ୍ଧି ପାଉଥିବା ଯୁଦ୍ଧ ପରିସ୍ଥିତିକୁ ନେଇ ଏବେ ସମଗ୍ର ଦେଶରେ ଚିନ୍ତାର ମାହୋଲ ଦେଖାଦେଇଛି। ବିଶେଷ କରି ଇରାନକୁ କେନ୍ଦ୍ର କରି ଉଦ୍ଭବ ହୋଇଥିବା ତେଲ ସଙ୍କଟ ଭାରତର ଅର୍ଥନୀତି ଉପରେ ଗଭୀର ପ୍ରଭାବ ପକାଇପାରେ ବୋଲି ଆଶଙ୍କା କରାଯାଉଛି। ଏହି ପରିସ୍ଥିତି ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଦେଶବାସୀଙ୍କୁ ସୁନା କିଣିବା କମାଇବା ଏବଂ ପେଟ୍ରୋଲ-ଡିଜେଲ ସଞ୍ଚୟ କରିବା ପାଇଁ ଦିଆଯାଇଥିବା ଅପିଲ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି । ରାଜନୈତିକ ମହଳରେ ଏହାକୁ ନେଇ ନୂଆ ତର୍କ ଆରମ୍ଭ ହୋଇଛି। ବିରୋଧୀ ଶିବିର କହୁଛି, କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୂର୍ବରୁ ଦେଶର ଅର୍ଥନୈତିକ ଚାପ ଓ ବୈଦେଶିକ ସଙ୍କଟ ନେଇ ଯେଉଁ ସତର୍କବାଣୀ ଦେଇଥିଲେ, ଏବେ ତାହା ସତ ହେଉଥିବା ଦେଖାଯାଉଛି। ଅନ୍ୟପଟେ ଭାଜପା ଏହାକୁ ଜାତୀୟ ହିତରେ ଦିଆଯାଇଥିବା ସଚେତନତାମୂଳକ ଅପିଲ ବୋଲି କହିଛି ।

ବିଶେଷଜ୍ଞଙ୍କ ମତାନୁସାରେ, ଭାରତ ପ୍ରତିବର୍ଷ ବିପୁଳ ପରିମାଣରେ କଚା ତେଲ ଓ ସୁନା ଆମଦାନୀ କରୁଛି। ଏହି ଦୁଇଟି କ୍ଷେତ୍ରରେ ଅଧିକ ବିଦେଶୀ ମୁଦ୍ରା ଖର୍ଚ୍ଚ ହେଉଥିବାରୁ ଟଙ୍କାର ମୂଲ୍ୟ ଉପରେ ଚାପ ପଡ଼ୁଛି। ଯଦି ଇରାନ ଯୁଦ୍ଧ ଆହୁରି ତୀବ୍ର ହୁଏ ଏବଂ ଅନ୍ତର୍ଜାତୀୟ ବଜାରରେ ତେଲ ଦର ବଢ଼ିଯାବ, ତେବେ ଭାରତରେ ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଦର ଆହୁରି ଆକାଶଛୁଆଁ ହୋଇପାରେ। ଏଥିର ସିଧା ପ୍ରଭାବ ସାଧାରଣ ଲୋକଙ୍କ ଜୀବନ ଉପରେ ପଡ଼ିବ।
ସୁନା କ୍ରୟ କମାଇବାକୁ ପ୍ରଧାନମନ୍ତ୍ରୀଙ୍କ ଅପିଲ ପରେ ଗୋଲ୍ଡ ମାର୍କେଟରେ ମଧ୍ୟ ଚଞ୍ଚଳତା ବଢ଼ିଛି। ଜ୍ୱେଲେରୀ ବ୍ୟବସାୟୀମାନେ କହୁଛନ୍ତି, ଯଦି ଲୋକମାନେ ସୁନା କିଣିବାରୁ ରହିଯାନ୍ତି, ତେବେ ବଜାରରେ ଚାହିଦା କମିପାରେ। ତଥାପି କିଛି ଅର୍ଥନୀତିବିଦଙ୍କ ମତରେ, ବିଦେଶୀ ମୁଦ୍ରା ସଞ୍ଚୟ ପାଇଁ ଏହା ଆବଶ୍ୟକ ପଦକ୍ଷେପ ହୋଇପାରେ ।

ସେପଟେ କେନ୍ଦ୍ର ସରକାର ଦେଶରେ କୌଣସି ତେଲ ସଙ୍କଟ ନଥିବା ସ୍ପଷ୍ଟ କରିଥିଲେ ମଧ୍ୟ, ସାବଧାନତା ଅବଲମ୍ବନ କରିବାକୁ ଲୋକଙ୍କୁ ଅନୁରୋଧ କରାଯାଇଛି। ମେଟ୍ରୋ, ପବ୍ଲିକ ଟ୍ରାନ୍ସପୋର୍ଟ ଓ କାରପୁଲିଂ ବ୍ୟବହାର କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ଆଗାମୀ ଦିନରେ ପଶ୍ଚିମ ଏସିଆର ପରିସ୍ଥିତି କେଉଁ ମୋଡ଼ ନେଉଛି, ତା’ଉପରେ ଭାରତର ଅର୍ଥନୀତିର ଭବିଷ୍ୟତ ବହୁ ଅଂଶରେ ନିର୍ଭର କରିବ। ତେବେ ପ୍ରଶ୍ନ ଆସୁଛି ପ୍ରଧାନମନ୍ତ୍ରୀ ଯାହା କହିଛନ୍ତି ତାହା କଣ କେବଳ ସାଧାରଣ ଲୋକ ଏବଂ ବିରୋଧୀଙ୍କ ପାଇଁ ନା ସରକାରୀ ଦଳ ପାଇଁ ମଧ୍ୟ । କାରଣ ନିକଟ ଅତିତରେ ବିରୋଧି ଦଳ ନେତା ଖୋଦ ରାହୁଲ ଗାନ୍ଧି ଦେଶର ଅର୍ଥନିତି ବିପଦରେ ରହିଥିବା କହିସାରିଛନ୍ତି, ଯାହାକରୁ ନେଇ ଗୃହରେ ଆଲୋଚନା କରାଯିବାର ଆବଶ୍ୟକତା ରହିଥିବା କଥା ସମଧ୍ୟ କହିଥିଲେ । ଖାଲି ସେତିକି ନୁହେଁ ଦେଶର 5 ରାଜ୍ୟରେ ନିର୍ବାଚନ ସରିଲେ ଦେଶରେ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଆଦିର ଦର ଆକାଶ ଛୁଆଁ ହେବାକଥା ମଧ୍ୟ କହିଥିଲେ ରାହୁଲ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏଇ ବୟାନ ସାମ୍ନାକୁ ଆସିବା ପରେ ବାସ୍ତବରେ ଦେଶର ଅର୍ଥନିତି ସଙ୍କଟରେ ରହିଥିବା ସ୍ପଷ୍ଟ ବାରିହେଇ ପଡୁଛି ।