
କୋରାପୁଟ, ସୁନାବେଡ଼ା: ସ୍ଥାନୀୟ ସରକାରୀ (ଏସଏସଡି) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ୨୦୨୫–୨୬ ଶିକ୍ଷାବର୍ଷର ବାର୍ଷିକ ଉତ୍ସବ ଭବ୍ୟ ଭାବେ ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ଜିଲ୍ଲା ମଙ୍ଗଳ ଅଧିକାରୀ ସୁନୀଲ କୁମାର ତାଣ୍ଡିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେମିଳିଗୁଡା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ ଝାନସୀ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେ ଛାତ୍ରଛାତ୍ରୀଙ୍କୁ ଜୀବନରେ ସଫଳତା ପାଇଁ ଶିକ୍ଷାକୁ ସର୍ବୋଚ୍ଚ ପ୍ରାଥମ୍ୟ ଦେବାକୁ ପରାମର୍ଶ ଦେଇଥିଲେ।ମୁଖ୍ୟ ବକ୍ତା ଭାବେ ଶିକ୍ଷା ନିରୀକ୍ଷକ ଅଜୟ କୁମାର ମିଶ୍ର ଯୋଗଦେଇ ପାଠପଢ଼ା ସହିତ ପିତାମାତା ଓ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପ୍ରତି ସମ୍ମାନ ବଢ଼ାଇବାର ଆବଶ୍ୟକତା ଉପରେ ଉଲ୍ଲେଖ କରିଥିଲେ। ସମ୍ମାନିତ ଅତିଥିମାନଙ୍କ ଭିତରେ ସେମିଳିଗୁଡା ବ୍ଲକ ଶିକ୍ଷା ଅଧିକାରୀ ହରପ୍ରସାଦ ଦାସ, ଏଡିଡବ୍ଲ୍ୟୁଓ ଅର୍ଜୁନ ନାୟକ, ରାଣୀଗଡ ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶଙ୍କର ପ୍ରହରାଜ ଯୋଗଦେଇଥିଲେ। ଅନ୍ୟତମ ଅତିଥି ଭାବେ ସୁନାବେଡ଼ା ସେବାଶ୍ରମର ପ୍ରଧାନ ଶିକ୍ଷୟତ୍ରୀ ଅମ୍ବିକା ରାଉତ ଓ କ୍ରୀଡା ଶିକ୍ଷକ ସଂଗ୍ରାମ କେଶରୀ ରାଉତ ଉପସ୍ଥିତ ଥିଲେ।

ଭାରପ୍ରାପ୍ତ ଅଧ୍ୟକ୍ଷା ରଶ୍ମୀ କିରଣ ସେଠୀ ବାର୍ଷିକ ପ୍ରତିବେଦନ ପାଠ କରି ବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକଳାପ ଉପସ୍ଥାପନ କରିଥିଲେ। ଏହି ଅବସରରେ ଶ୍ରେଷ୍ଠ ଛାତ୍ର ଭାବେ ଅରୁଣ ପାକୁଲପିଡ଼ିଆ, ଦ୍ବାଦଶ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଦିବ୍ୟା ଭାରତୀ ହାଲବା, ଶ୍ରେଷ୍ଠ କ୍ରୀଡ଼ାବିଦ୍ ଭାବେ ଦିପାକ ସାଡ଼ାପାଲି ଓ ଅଞ୍ଜୁ ଖରାଙ୍କୁ ପୁରସ୍କୃତ କରାଯାଇଥିଲା।ପୂର୍ବତନ ଶିକ୍ଷକ ମନବୋଧ ଛତ୍ରିଆ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ-ଶିକ୍ଷୟତ୍ରୀ ଓ କର୍ମଚାରୀମାନେ କାର୍ଯ୍ୟକ୍ରମ ସଫଳ କରିବାରେ ସହଯୋଗ କରିଥିଲେ। ଶେଷରେ ଅଧ୍ୟକ୍ଷା ରଶ୍ମୀ କିରଣ ସେଠୀ ଧନ୍ୟବାଦ ଜ୍ଞାପନ କରିଥିଲେ।