ପଶ୍ଚିମ ଏସିଆ ଯୁଦ୍ଧ ପ୍ରଭାବରେ ଭାରତର ଏଲପିଜି ଯୋଗାଣ ସଙ୍କଟ

ପଶ୍ଚିମ ଏସିଆରେ ଚାଲୁଥିବା ସାମରିକ ଯୁଦ୍ଧର ପ୍ରଭାବ ଏବେ ଭାରତ ବଜାର ଉପରେ ମଧ୍ୟ ପଡ଼ିଛି। ଏହାର ସବୁଠୁ ବଡ଼ ପ୍ରଭାବ ଦେଖାଯାଇଛି ରନ୍ଧନ ଗ୍ୟାସ୍ (ଏଲପିଜି) ଯୋଗାଣ ଓ ବ୍ୟବହାରରେ। ସରକାରୀ ତଥ୍ୟ ଅନୁଯାୟୀ, ମାର୍ଚ୍ଚ ମାସରେ ଦେଶରେ ଏଲପିଜି ବ୍ୟବହାର ପ୍ରାୟ ୧୩% ହ୍ରାସ ପାଇଛି। ଏହାର ପ୍ରଧାନ କାରଣ ହେଉଛି ଯୋଗାଣ ଶୃଙ୍ଖଳାରେ ବାଧା ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି ।

ଭାରତ ନିଜର ମୋଟ ଏଲପିଜି ଆବଶ୍ୟକତାର ପ୍ରାୟ ୬୦% ଆମଦାନୀ ଉପରେ ନିର୍ଭର କରେ। ଏହି ଆମଦାନୀର ବଡ଼ ଅଂଶ ମଧ୍ୟପୂର୍ବ ଦେଶଗୁଡ଼ିକରୁ ଆସେ, ଯାହା ହର୍ମୁଜ ପ୍ରଣାଳୀ ଦେଇ ଭାରତକୁ ପହଞ୍ଚେ। ଏହି ସମୁଦ୍ର ପଥ ହେଉଛି ଜଳପଥରେ ଗ୍ୟାସ ଓ ତେଲ ଆଣିବାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରୁଟ୍ । କିନ୍ତୁ ଏବେ ଆମେରିକା, ଇସ୍ରାଏଲ ଓ ଇରାନ ମଧ୍ୟରେ ଚାଲୁଥିବା ତଣାତଣି ଯୋଗୁଁ ଏହି ପଥ ଅସ୍ଥିର ହୋଇଯାଇଛି। ଫଳରେ ସାଉଦି ଆରବ ଓ ୟୁଏଇ ଭଳି ଦେଶରୁ ଆସୁଥିବା ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହୋଇଛି।

ଏହି ଯୋଗାଣ ସମସ୍ୟାର ସିଧା ପ୍ରଭାବ ଘରୋଇ ବଜାରରେ ପଡ଼ିଛି। ମାର୍ଚ୍ଚ ମାସରେ ମୋଟ ଏଲପିଜି ବ୍ୟବହାର ୨.୩୭୯ ମିଲିୟନ ଟନକୁ ଖସିଛି, ଯାହା ଗତ ବର୍ଷ ତୁଳନାରେ ପ୍ରାୟ ୧୨.୮% କମ୍। ଘରେ ବ୍ୟବହୃତ ସିଲିଣ୍ଡର ବିକ୍ରି ୮% ରୁ ଅଧିକ କମିଛି। ଏହା ସହିତ ହୋଟେଲ, ରେଷ୍ଟୁରାଣ୍ଟ ଓ ଶିଳ୍ପ କ୍ଷେତ୍ରରେ ବ୍ୟବହାର ଆହୁରି ବେଶି କମିଛି ବାଣିଜ୍ୟକ ଖାତରେ ପ୍ରାୟ ୪୮% ଏବଂ ବଲ୍କ ଉପଭୋକ୍ତାଙ୍କ କ୍ଷେତ୍ରରେ ୭୫% ପର୍ଯ୍ୟନ୍ତ ହ୍ରାସ ଦେଖାଯାଇଛି।

ଏହି ସଙ୍କଟକୁ ମୁକାବିଲା ପାଇଁ ସରକାର ରିଫାଇନାରୀଗୁଡ଼ିକୁ ପେଟ୍ରୋକେମିକାଲ୍ ଉତ୍ପାଦନ କମାଇ ଏଲପିଜି ଉତ୍ପାଦନ ବଢ଼ାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ଫଳରେ ଦେଶୀୟ ଉତ୍ପାଦନ ୧.୧ ମିଲିୟନ ଟନରୁ ୧.୪ ମିଲିୟନ ଟନକୁ ବୃଦ୍ଧି ପାଇଛି। ତଥାପି ଆମଦାନୀ ଉପରେ ଭାରତର ନିର୍ଭରଶୀଳତା ଥିବାରୁ ସମସ୍ୟା ପୂରା ଭାବେ ସମାଧାନ ହୋଇନାହିଁ।

ଅନ୍ୟପଟେ ପେଟ୍ରୋଲ ଓ ଡିଜେଲ ଚାହିଦା କିଛି ମାତ୍ରାରେ ବଢ଼ିଛି, କିନ୍ତୁ ଏଲପିଜି ଭଳି ଗଭୀର ସଙ୍କଟ ଏଠାରେ ନାହିଁ। ସରକାର ଯଦିଓ ସ୍ଥିତି ସ୍ୱାଭାବିକ ବୋଲି କହୁଛି, କିନ୍ତୁ ତଥ୍ୟ ଦେଖାଉଛି ଯେ ଆମଦାନୀ ନିର୍ଭରତା ଏବଂ ମଧ୍ୟପୂର୍ବ ତଣାତଣି ଭାରତର ଗ୍ୟାସ ଯୋଗାଣକୁ ଗଭୀର ଭାବେ ପ୍ରଭାବିତ କରୁଛି ।