
ଆଠମଲ୍ଲିକ, ଅନୁଗୋଳ:ଗ୍ରୀଷ୍ମ ପ୍ରବାହର ପ୍ରଖର ତାପକୁ ଦୃଷ୍ଟିରେ ରଖି ଅନୁଗୋଳ ଜିଲ୍ଲାର ଠାକୁରଗଡ଼ ଥାନା ପକ୍ଷରୁ ଏକ ଜଳଛତ୍ର ଉଦ୍ଘାଟନ କରାଯାଇଛି। ଶୁକ୍ରବାର ଥାନା ସମ୍ମୁଖରେ ଆୟୋଜିତ କାର୍ଯ୍ୟକ୍ରମରେ ଆଠମଲ୍ଲିକ ଏସଡିପିଓ ସୁଶାନ୍ତ କୁମାର ତଉଡିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତା କାଟି ଜଳଛତ୍ରର ଶୁଭ ଉଦ୍ଘାଟନ କରିଥିଲେ।ପଥଚାରୀ ଓ ସାଧାରଣ ଜନତାଙ୍କୁ ତିବ୍ର ରୌଦ୍ରତାପରୁ ଆଶ୍ୱସ୍ତି ଦେବା ଉଦ୍ଦେଶ୍ୟରେ ପୋଲିସ ପକ୍ଷରୁ ଏହି ପ୍ରୟାସ ନିଆଯାଇଥିବା ଜଣାପଡ଼ିଛି। ଏହି ଜଳଛତ୍ରଟି ଆସନ୍ତା ଜୁନ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଏସଡିପିଓ ଶ୍ରୀ ତଉଡିଆ ସୂଚନା ଦେଇଛନ୍ତି।

ଉଦ୍ଘାଟନୀ ଦିନରେ ସାଧାରଣ ଲୋକଙ୍କୁ ଶୀତଳ ଦହି ସର୍ବତ ବଣ୍ଟନ କରାଯାଇଥିଲା, ଯାହାରୁ ଲୋକମାନେ ତାପରୁ ଅଳ୍ପ ସମୟ ପାଇଁ ରାହାତ୍ ଅନୁଭବ କରିଥିଲେ। ପ୍ରଥମ ଦିନରେ ଶହ ଶହ ଲୋକ ଏହି ସେବାର ଲାଭ ଉଠାଇଥିବା ବେଳେ, ପୋଲିସର ଏହି ଜନହିତକର ପଦକ୍ଷେପକୁ ସାଧୁବାଦ ଜଣାଇଛନ୍ତି।

ଏହି କାର୍ଯ୍ୟକ୍ରମରେ ଠାକୁରଗଡ଼ ଥାନା ଆଇଆଇସି ଶଶି ଭୂଷଣ ବେହେରା, ମନୋଜ କୁମାର ବେହେରା ସହ ଅନ୍ୟାନ୍ୟ ପୋଲିସ କର୍ମଚାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।
ରିପୋର୍ଟ: ବୁଲୁ ଦଳେଇ, ଆଠମଲ୍ଲିକ