ପାରାଦ୍ୱୀପ ଉପକଣ୍ଠର ପିପ୍ପଳ ଗ୍ରାମ ରବିବାର ଦିନ ଧାର୍ମିକ ଓ ସାମାଜିକ ଉତ୍ସାହରେ ମୁହିଁଯାଇଥିଲା। ସାରଥୀ ପରିବାର ପକ୍ଷରୁ ଆୟୋଜିତ ବିଶାଳ ସମାବେଶରେ ପ୍ରାୟ ୩ ହଜାରରୁ ଅଧିକ ଭକ୍ତ ବିଭିନ୍ନ ଜିଲ୍ଲାରୁ ଯୋଗଦେଇଥିଲେ। ସକାଳୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ପାଦୁକା ସତସଙ୍ଗ, ପୂଜାର୍ଚ୍ଚନା ସହ ମାଗଣା ହୋମିଓପାଥିକ ଚିକିତ୍ସା ଶିବିର ଆୟୋଜନ କରାଯାଇଥିଲା। ଶିବିରରେ ଅନେକ ଗ୍ରାମବାସୀଙ୍କୁ ନିଶୁଳ୍କ ଔଷଧ ବଣ୍ଟନ କରାଯାଇଥିଲା। ସେଥିପାଇଁ ଦରିଦ୍ର ନାରାୟଣଙ୍କ ସେବା ମଧ୍ୟ କରାଯାଇ, ମାନବସେବାକୁ ଗୁରୁତ୍ୱ ଦିଆଯାଇଥିଲା। ସନ୍ଧ୍ୟାବେଳେ ସାରଥୀ ବାବାଙ୍କ ପାଦୁକା ପୂଜା ଓ ନାମ ସଙ୍କୀର୍ତ୍ତନରେ ପରିବେଶ ଭକ୍ତିମୟ ହୋଇଯାଇଥିଲା। ପରେ ପ୍ରବଚନ କାର୍ଯ୍ୟକ୍ରମ ହୋଇଥିଲା, ଯେଉଁଥିରେ ଭକ୍ତମାନଙ୍କୁ ଧାର୍ମିକ ଓ ନୈତିକ ସନ୍ଦେଶ ଦିଆଯାଇଥିଲା।
ବିଶେଷ କଥା ହେଲା, ସାରଥୀ ବାବାଙ୍କୁ ନେଇ ପୂର୍ବରୁ ବିବାଦ ଓ ଜେଲ୍ ଘଟଣା ଚର୍ଚ୍ଚାରେ ରହିଥିଲେ ମଧ୍ୟ, ତାଙ୍କ ପ୍ରତି ଭକ୍ତମାନଙ୍କର ଆସ୍ଥା କମିନାହିଁ। ପାରାଦ୍ୱୀପ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ ଓ ଯାଜପୁର ଭଳି ଅଞ୍ଚଳରୁ ଆସିଥିବା ଅନୁଗାମୀମାନେ ଏହି ସମାବେଶକୁ ସଫଳ କରିଥିଲେ। ଶେଷରେ ପ୍ରାୟ ୬ ହଜାରରୁ ଅଧିକ ଲୋକଙ୍କ ପାଇଁ ପ୍ରସାଦ ବଣ୍ଟନ କରାଯାଇଥିଲା, ଯାହା ଏହି ବିଶାଳ ଆୟୋଜନର ଏକ ମୁଖ୍ୟ ଆକର୍ଷଣ ହୋଇଥିଲା। ଏହି ସମାବେଶ ସାରଥୀ ପରିବାରର ସଂଗଠନ ଶକ୍ତି ଓ ଭକ୍ତମାନଙ୍କ ଏକତାକୁ ପୁନର୍ବାର ପ୍ରମାଣିତ କରିଛି।