ଦିଲ୍ଲୀରେ UNI କାର୍ଯ୍ୟାଳୟ ସିଲ୍: ସାମ୍ବାଦିକଙ୍କୁ ବଳପୂର୍ବକ ବାହାର କଲା ପୋଲିସ, ଗଣମାଧ୍ୟମ ମହଲରେ ତୀବ୍ର ଅସନ୍ତୋଷ

ଦେଶର ପ୍ରତିଷ୍ଠିତ ସମ୍ବାଦ ସଂସ୍ଥା ‘ୟୁନାଇଟେଡ୍ ନ୍ୟୁଜ୍ ଅଫ୍ ଇଣ୍ଡିଆ’ର ଦିଲ୍ଲୀସ୍ଥିତ କାର୍ଯ୍ୟାଳୟ ଉପରେ ପ୍ରଶାସନର କଡ଼ା କାର୍ଯ୍ୟାନୁଷ୍ଠାନ। ଜମି ବିବାଦକୁ ନେଇ ଶୁକ୍ରବାର ଦିନ ରଫି ମାର୍ଗରେ ଥିବା ଏହି ଅଫିସକୁ ସିଲ୍ କରିଦିଆଯାଇଛି। ତେବେ ଏହି ପ୍ରକ୍ରିୟା ସମୟରେ ପୋଲିସର ବ୍ୟବହାରକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଲ୍ୟାଣ୍ଡ ଆଣ୍ଡ୍ ଡେଭଲପମେଣ୍ଟ ଅଫିସ ଏହି ଜମି ବିବାଦ ମାମଲାରେ କାର୍ଯ୍ୟାଳୟକୁ ନିଜ ଦଖଲକୁ ନେଇଛି।

ପ୍ରାୟ ୫୦ ଜଣ ସାମ୍ବାଦିକଙ୍କୁ କୌଣସି ପୂର୍ବ ସୂଚନା ବା ସମୟ ନଦେଇ ପୋଲିସ ଓ CRPF ବଳପୂର୍ବକ ବାହାର କରିଦେଇଥିବା ଅଭିଯୋଗ ହୋଇଛି। କାର୍ଯ୍ୟାଳୟ ଖାଲି କରିବା ସମୟରେ ପୋଲିସ ସାମ୍ବାଦିକମାନଙ୍କ ସହ ଖରାପ ବ୍ୟବହାର ଓ ଧସ୍ତାଧସ୍ତି କରିଥିବା ନେଇ UNI କର୍ମଚାରୀମାନେ ପ୍ରକାଶ କରିଛନ୍ତି। ନୂଆଦିଲ୍ଲୀ ଡିସିପି ସଚିନ ଶର୍ମାଙ୍କ କହିବା ଅନୁଯାୟୀ, ଅଦାଲତଙ୍କ ନିର୍ଦ୍ଦେଶ ପାଳନ କରିବା ଏବଂ L&DO ଅଧିକାରୀମାନଙ୍କୁ ସୁରକ୍ଷା ଯୋଗାଇଦେବା ପାଇଁ ପୋଲିସ ସେଠାରେ ଉପସ୍ଥିତ ଥିଲା। ଜମି ବିବାଦରେ ସରକାରୀ ସଂସ୍ଥା ସପକ୍ଷରେ ରାୟ ଆସିଥିବାରୁ ଏହି ପଦକ୍ଷେପ ନିଆଯାଇଛି। ଆମକୁ ଜିନିଷପତ୍ର ଗୋଟାଇବାକୁ ମଧ୍ୟ ସମୟ ଦିଆଗଲା ନାହିଁ। ଏହା ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଉପରେ ଏକ ସିଧାସଳଖ ଆକ୍ରମଣ।