“ଡବଲ ଇଞ୍ଜିନ ସରକାର ବିଫଳ”: କେନ୍ଦ୍ର ଉପରେ ବର୍ଷିଲେ ମେୟର ସୁବାସ ସିଂ; କଟକରୁ ସମ୍ବଲପୁର ଯାଏଁ ହାହାକାର।

ରାଜ୍ୟରେ ଗ୍ୟାସ୍ ସଙ୍କଟ ଏବେ ଉତ୍କଟ ରୂପ ଧାରଣ କରିଛି। ଏହାର ପ୍ରତିବାଦରେ କଟକ ବାରବାଟୀ ବିଜେଡି ମହିଳା ଶାଖା ପକ୍ଷରୁ ଏକ ଅଭିନବ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କଟକ ବକ୍ସି ବଜାର ଛକ ନିକଟରେ ମହିଳା କର୍ମୀମାନେ ଏକତ୍ରିତ ହୋଇ ଗ୍ୟାସ୍ ଚୂଲି ବଦଳରେ ପାରମ୍ପରିକ କାଠ ଚୂଲିରେ ଚା’ ତିଆରି କରି ଲୋକଙ୍କୁ ବିତରଣ କରିଛନ୍ତି। ଏହି ପ୍ରତିବାଦରେ ସାମିଲ ହୋଇ କଟକ ମେୟର ସୁବାସ ସିଂ କେନ୍ଦ୍ର ସରକାରଙ୍କ ବୈଦେଶିକ ନୀତିକୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ଡବଲ ଇଞ୍ଜିନ ସରକାର ଗ୍ୟାସ୍ ସଙ୍କଟ ରୋକିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ଯୋଗୁଁ ଯୋଗାଣ ବାଧାପ୍ରାପ୍ତ ହେଉଥିବା ବେଳେ ସାଧାରଣ ଲୋକେ ଏବେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଗ୍ୟାସ୍ ଅଭାବରୁ କେବଳ ରୋଷେଇ ଘର ନୁହେଁ, ବରଂ ଛୋଟ ଛୋଟ ଦୋକାନ ଏବଂ ରେଷ୍ଟୁରାଣ୍ଟ ମଧ୍ୟ ବନ୍ଦ ହେବାକୁ ବସିଲାଣି। ବୁକିଂ ହେଉଥିଲେ ମଧ୍ୟ ଗ୍ୟାସ୍ ସିଲିଣ୍ଡର ମିଳୁନାହିଁ। ସମ୍ବଲପୁରରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଦ୍ୱାରା ପରିଚାଳିତ କାଫେଗୁଡ଼ିକ ମଧ୍ୟ ବନ୍ଦ ହେବା ପରିସ୍ଥିତିକୁ ଆସିଗଲାଣି। ଗ୍ୟାସ୍ ପାଇଁ ଲୋକେ ଡିପୋ ଆଗରେ ଲମ୍ବା ଲାଇନ୍ ଲଗାଉଥିବା ବେଳେ ଆଗକୁ ଏହି ଆନ୍ଦୋଳନ ଆହୁରି ଜୋରଦାର ହେବ ବୋଲି ବିଜେଡି ମହିଳା କର୍ପୋରେଟରମାନେ ଚେତାବନୀ ଦେଇଛନ୍ତି।