କେନ୍ଦ୍ରାପଡ଼ା ଜିଲ୍ଲା ସଦର ଥାନା ଅନ୍ତର୍ଗତ ମଧୁବନିଆ ଗାଁର ୪୦ ବର୍ଷୀୟ ଜଟାଧାରୀ ଜେନା, ମାର୍ଶାଘାଇ ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ବିବାହ କରିବାକୁ ଯୋଜନା କରିଥିଲେ। ଅଭିଯୋଗ ଅନୁଯାୟୀ, ନାବାଳିକାର ପରିବାରକୁ ଅର୍ଥର ପ୍ରଲୋଭନ ଦେଖାଇ ଏହି ଅସମାନ ବିବାହ ସ୍ଥିର କରାଯାଇଥିଲା। ଜିଲ୍ଲାପାଳଙ୍କ ପାଖରେ ବାଲ୍ୟ ବିବାହ ନେଇ ସୂଚନା ପହଞ୍ଚିବା ପରେ, ସେ ତୁରନ୍ତ ଶିଶୁ ସୁରକ୍ଷା ବିଭାଗକୁ ଘଟଣାସ୍ଥଳକୁ ଯିବାକୁ ନିର୍ଦ୍ଦେଶ ଦେଇଥିଲେ। ଶିଶୁ ସୁରକ୍ଷା ଅଧିକାରୀ ଓ ସଦସ୍ୟାମାନେ ସଖିବଟରେ ପହଞ୍ଚି ବିବାହ ବନ୍ଦ କରିବାକୁ ଚେଷ୍ଟା କରିଥିଲେ। ମାତ୍ର ସେଠାରେ ଉପସ୍ଥିତ ଥିବା କନ୍ୟା ପକ୍ଷର ଲୋକେ ଉତ୍ୟକ୍ତ ହୋଇ ଅଧିକାରୀଙ୍କୁ ଗାଳିଗୁଲଜ କରିବା ସହ ଠେଲାପେଲା କରିଥିଲେ।

ପ୍ରଶାସନ ଓ ପୋଲିସର କଡ଼ା ଆଭିମୁଖ୍ୟ ଦେଖି ୪୦ ବର୍ଷୀୟ ବର ଜଟାଧାରୀ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ପରବର୍ତ୍ତୀ ସମୟରେ ପୋଲିସ ପହଞ୍ଚିବା ବେଳକୁ ନାବାଳିକା କନ୍ୟାକୁ ମଧ୍ୟ ସେଠାରୁ ହଟାଇ ଦିଆଯାଇଥିଲା। ଏହି ଘଟଣା “ବାଲ୍ୟ ବିବାହ ନିଷେଧ ଆଇନ” ର ଖୋଲାଖୋଲି ଉଲ୍ଲଂଘନ ଅଟେ। ବାଲ୍ୟ ବିବାହ ଏକ ସାମାଜିକ ଅପରାଧ। ଯଦି ଆପଣଙ୍କ ପାଖପାଖରେ ଏପରି କିଛି ଘଟୁଥାଏ, ତେବେ ତୁରନ୍ତ Childline Help Number 1098 କୁ କଲ୍ କରନ୍ତୁ। ଏହି ଘଟଣାରେ ପୋଲିସ ଏବେ ଜଟାଧାରୀ ଜେନା ଏବଂ କନ୍ୟା ପକ୍ଷର କିଛି ଲୋକଙ୍କୁ ଖୋଜୁଛି। ପ୍ରଶାସନିକ ଅଧିକାରୀଙ୍କ ଉପରେ ହୋଇଥିବା ଆକ୍ରମଣକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।