ମକର ସଂକ୍ରାନ୍ତିରେ ଅଯୋଧ୍ୟା ଭକ୍ତିମୟ,

ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ଅଯୋଧ୍ୟାରେ ଅଭୂତପୂର୍ବ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି | ସରଜୁ ନଦୀରେ ପବିତ୍ର ସ୍ନାନ ଓ ପରେ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ପାଇଁ ଦେଶର ବିଭିନ୍ନ ପ୍ରାନ୍ତରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଅଯୋଧ୍ୟାକୁ ଆସିଛନ୍ତି। ଭୋର୍‌ ସମୟରୁ ଘାଟଗୁଡ଼ିକରେ ‘ଜୟ ଶ୍ରୀରାମ’ ଧ୍ୱନି ଗୁଞ୍ଜି ଉଠିଥିବା ବେଳେ ସମଗ୍ର ସହର ଆଧ୍ୟାତ୍ମିକ ରଙ୍ଗରେ ରଙ୍ଗେଇ ଯାଇଛି।

ଭିଡ଼କୁ ନିୟନ୍ତ୍ରଣ କରିବା ସହ କୌଣସି ଅଘଟଣକୁ ଏଡ଼ାଇବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି | ସମଗ୍ର ମେଳା ଅଞ୍ଚଳରେ ପୁଲିସ, ପିଏସି, ଆରଏଏଫ ଓ ସାଧା ପୋଷାକଧାରୀ କର୍ମଚାରୀ ଙ୍କୁ ମଧ୍ୟ ନିୟୋଜିତ କରାଯାଇଛି । ସିସିଟିଭି ଓ ଡ୍ରୋନ୍ କ୍ୟାମେରା ମାଧ୍ୟମରେ ଭିଡ଼ ଉପରେ ୨୪ ଘଣ୍ଟା ନଜର ରଖାଯାଉଛି।

ନଦୀ ଘାଟରେ ପୁଲିସ ଓ ଏସଡିଆରଏଫ ଟିମ ନୌକା ସହ ପ୍ରସ୍ତୁତ ରହିଥିବା ବେଳେ, ବ୍ୟାରିକେଡିଂ କରି ସ୍ନାନ କରିବା ପାଇଁ ସୀମା ନିର୍ଦ୍ଧାରଣ କରାଯାଇଛି | ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ପାନୀୟ ଜଳ, ଚିକିତ୍ସା ସେବା, ମୋବାଇଲ , ଶୌଚାଳୟ ଓ ଆଶ୍ରୟ ସ୍ଥଳୀର ବ୍ୟବସ୍ଥା ହୋଇଛି |

ପ୍ରଶାସନ ପକ୍ଷରୁ ଖବର ମିଳିଛି , ଏତେ ବଡ଼ ସମାଗମ ସତ୍ତ୍ୱେ ମେଳା ସୁସ୍ଥ ଓ ଶାନ୍ତିଶୃଙ୍ଖଳାର ସହ ଚାଲିଛି | ମକର ସଂକ୍ରାନ୍ତିର ଏହି ଉତ୍ସବ ଅଯୋଧ୍ୟାର ଧାର୍ମିକ ମହତ୍ତ୍ୱ ସହ ଭାରତୀୟ ସଂସ୍କୃତି ଓ ପରମ୍ପରାର ଉଜ୍ଜ୍ୱଳ ଦୃଶ୍ୟକୁ ପୁଣିଥରେ ଉଦ୍‌ଘାଟିତ କରିଛି |