ବୁଲା କୁକୁରଙ୍କୁ ଦିଲ୍ଲୀ ମନା !

ଦିଲ୍ଲୀ NCRରୁ ବୁଲା କୁକୁର ହଟାଇବା ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ହେବ ପୁନର୍ବିଚାର । ଏହି ରାୟର ପୁନର୍ବିଚାର କରିବେ ବୋଲି କହିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ବି.ଆର. ଗବାଇ । ଗତ ସୋମବାର ଦିଲ୍ଲୀ NCRରୁ ସମସ୍ତ ବୁଲା କୁକୁର ହଟାଇ ସେଲଟର ହୋମରେ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଦିଲ୍ଲୀରେ କୁକୁର କାମୁଡ଼ା ସହ ରାବିଜ୍ କେସ ବଢ଼ୁଥିବାରୁ କୋର୍ଟ କଡ଼ା ନିର୍ଦ୍ଦେଶ ଦେଇଥିଲେ । ସର୍ବୋଚ୍ଚ କୋର୍ଟଙ୍କ ଏହି ରାୟକୁ ଦିଲ୍ଲୀ ରେସିଡେଣ୍ଟ ୱେଲଫର ଆସୋସିଏସନ ସ୍ବାଗତ କରିଥିବା ବେଳେ ଆନିମଲ ଆକ୍ଟିଭିଷ୍ଟ ସୁପ୍ରିମକୋର୍ଟଙ୍କ ଏହି ରାୟ ବିରୋଧରେ ଯୁକ୍ତି ବାଢ଼ିଥିଲେ ।

ତେବେ କୋର୍ଟଙ୍କ ନିର୍ଦ୍ଦେଶ ନେଇ ଆଜି ପ୍ରଧାନବିଚାରପତିଙ୍କ ନିକଟରେ କରାଯାଇଥିବା ଆବେଦନକୁ ସେ ଗ୍ରହଣ କରିବା ସହ ଏହାର ତର୍ଜମା କରିବେ ବୋଲି କହିଛନ୍ତି । ସୋମବାର ଜଷ୍ଟିସ ଜେ.ବି. ପାରଦିୱାଲା ଓ ଜଷ୍ଟିସ ଆର. ମହାଦେବନଙ୍କୁ ନେଇ ଗଠିତ ଖଣ୍ଡପୀଠ ସମସ୍ତ ବୁଲା କକୁରଙ୍କୁ ଦିଲ୍ଲୀରୁ ହଟାଇ ସେଲଟର ହୋମରେ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ସହରକୁ ବୁଲା କୁକୁର ମୁକ୍ତ କରିବା ଦ୍ବାରା ପିଲା ଓ ବୟସ୍କ ସୁରକ୍ଷିତ ଅନୁଭବ କରିବେ ବୋଲି କୋର୍ଟ କହିଥିଲେ । ସାଧାରଣ ଲୋକଙ୍କ ସ୍ବାର୍ଥ ଦୃଷ୍ଟିରୁ ଏହି ନିର୍ଦ୍ଦେଶ ଦେଇଥିବା କୋର୍ଟ ସ୍ପଷ୍ଟ କରିଥିଲେ । ଏହାସହ ନିର୍ଦ୍ଦେଶକୁ କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଏପଟେ ଦିଲ୍ଲୀ ଏନସିଆରରୁ ବୁଲା କୁକୁରଙ୍କୁ ତଡ଼ି ପାର ନେଇ ପୂର୍ବରୁ ଦେଇଥିବା ରାୟରେ ପୁଣି ନରମ ମନୋଭାବ ପୋଷଣ କଲେ ସୁପ୍ରିମକୋର୍ଟ। ଏହି ରାୟକୁ ପଶୁପ୍ରେମୀଙ୍କ ବିରୋଧ ଏବଂ ସାନି ଆବେଦନ ପରେ ରାୟର ପୁନର୍ବିଚାର ପାଇଁ ରାଜି ହୋଇଛନ୍ତି ପ୍ରଧାନ ବିଚାରପତି ବି.ଆର. ଗଭାଇ। ସର୍ବୋଚ୍ଚ କୋର୍ଟଙ୍କ ଏଭଳି ସଙ୍କେତ ପରେ ଖୁସି ପ୍ରକାଶ କରିଛନ୍ତି ପଶୁପ୍ରେମୀ। ଏଭଳି ସ୍ଥିତିରେ ଓଡ଼ିଶା ବିଶେଷକରି ରାଜଧାନୀ ଭୁବନେଶ୍ବରରେ ବୁଲା କୁକୁରଙ୍କୁ ଅନ୍ୟ ସ୍ଥାନକୁ ନେବା ପାଇଁ କୌଣସି ଯୋଜନା ନଥିବା କହିଛନ୍ତି ବିଏମସି ମେୟର।