ମାଛ ମଡ଼କ, କ୍ବିଣ୍ଟାଲ କ୍ବିଣ୍ଟାଲ ମାଛ ଭାସୁଛନ୍ତି ପାଣିରେ

ପୋଖରୀରେ ମାଛ ମଡ଼କ । ପାଣିରେ ଭାସୁଛନ୍ତି କ୍ବିଣ୍ଟାଲ କ୍ବିଣ୍ଟାଲ ମାଛ । ମାଛ ଧରିବା ପାଇଁ ପୋଖରୀରେ କେହି ଦୁର୍ବୃତ୍ତ ବିଷ ପକାଇଦେଇଥିବା ଅଭିଯୋଗ ହୋଇଛି। ଫଳରେ ଲକ୍ଷାଧିକ ଟଙ୍କାର ମାଛ ମରିଯାଇଛନ୍ତି । ବାଲେଶ୍ବର ସିଂଲା ଥାନା ଶଙ୍ଖୁଆ ଗାଁରେ ଥିବା ଶଙ୍ଖେଶ୍ବର ପୋଖରୀରେ ମରି ଭାସୁଛନ୍ତି ବିଭିନ୍ନ ପ୍ରଜାତିର ମାଛ । ଏହି ପୋଖରୀ ଉପରେ ଗାଁର ଶହେରୁ ଉର୍ଦ୍ଧ୍ବ ପରିବାର ନିର୍ଭର କରନ୍ତି । ମାଛ ମରି ଦୁର୍ଗନ୍ଧ ସୃଷ୍ଟି ହେବା ସହ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି ।

ସୂଚନା ଅନୁସାରେ ଏହି ପୋଖରୀକୁ ପାଞ୍ଚବର୍ଷ ପାଇଁ କୁଞ୍ଜବିହାରୀ ନାମକ ସ୍ବୟଂସହାୟକ ଗୋଷ୍ଠୀକୁ ଲିଜରେ ଦିଆଯାଇଥିଲା । ଗତ ଜୁନ ୩୦ତାରିଖରେ ଲିଜ ମିଆଦ ପୁରିବାର ଥିଲା ବେଳେ ୨୦ ତାରିଖ ଦିନ ପୋଖରୀରୁ ପାଣିକୁ ମେସିନ ଦ୍ୱାର ନିଷ୍କାସନ ପାଇଁ ଉଦ୍ୟମ କରିଥିଲେ ସ୍ବୟଂସହାୟକ ଗୋଷ୍ଠୀର ସଦସ୍ୟ । ତେବେ ଗ୍ରାମବାସୀମାନେ ଏହି ପୋଖରୀ ପାଣିକୁ ବ୍ୟବହାର କରୁଥିବାରୁ ମେସିନ ସାହାଯ୍ୟରେ ପୋଖରୀ ଶୁଖାଇବାକୁ ମନା କରିଥିଲେ । ଫଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେବାରୁ ପୋଖରୀ ଶୁଖାଇବା ବନ୍ଦ ହୋଇଥିଲା ।

ପୋଖରୀରେ ପାଣି ଅଧିକ ଥିବାରୁ ମାଛ ମାରିବା ପାଇଁ ବିଷ ପ୍ରୟୋଗ କରାଯାଇଥିବା ଗାଁଲୋକ ଅଭିଯୋଗ କରିଛନ୍ତି । ଏନେଇ ଗ୍ରାମବାସୀ ମାନେ ସିଂଲା ଥାନାରେ ଅଭିଯୋଗ କରିଛନ୍ତି ।

ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ କରୁଛି । ପୋଖରୀ ପାଣି ବିଶୋଧନ କରିବା ଏବଂ ହଇଜା, ଡାଇରିଆ,କାମଳ ରୋଗର ସଂକ୍ରମଣ ନ ବ୍ୟାପିବା ପାଇଁ ଶିଘ୍ର ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନ ଏବଂ ବ୍ଲକ ପ୍ରଶାସନ ଙ୍କୁ ନିବେଦନ କରିଛନ୍ତି ଗ୍ରାମବାସୀ । ଏହା ସହ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।