ସାପ କାମୁଡାରେ ଯୁବକ ମୃତ

ରାତିରେ ଘରେ ଶୋଇଥିବା ବେଳେ କାମୁଡିଲା ରଣା ସାପ । ଚାଲିଗଲା ଯୁବକଙ୍କ ଜୀବନ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ସାଳଦେଇ ପଞ୍ଚାୟତର ବେଲଦା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତ ଯୁବକ ଜଣକ ପାଗଳ ଦେହୁରୀଙ୍କ ୨୨ ବର୍ଷୀୟ ପୁଅ ସିପୁ ଦେହୁରୀ ବୋଲି ଜଣାପଡିଛି । ସୂଚନା ଅନୁସାରେ , ପରିବାର ଲୋକେ ରାତିରେ ଘରେ ଶୋଇଥିଲେ ।

ସମସ୍ତେ ଶୋଇଥିବା ବେଳେ ଘରର କବାଟ ଝରକା ନଥିବାରୁ ଏକ ରଣା ସାପ ଘର ଭୀତରକୁ ପଶି ଆସି ପୁଅ ସିପୁ ଦେହୁରୀକୁ କାମୁଡି ଦେଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ସାଇଁକୂଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ନ ଆସିବାରୁ ତାଙ୍କୁ ଆନନ୍ଦପୁର ମେଡିକାଲକୁ ପଠାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।