
ବନ୍ଦ ହେବାକୁ ଯାଉଛି ଟେରାକୋଟା କାର୍ଯ୍ୟ, ହତାଶାରେ ମିଶନ ଶକ୍ତି ମହିଳା,ରାଜ୍ୟ ସରକାରଙ୍କ ଉଦାସୀନତା ଯୋଗୁଁ ବନ୍ଦ ହେବାକୁ ଯାଉଛି ଫତେପୁରର ଟେରାକୋଟା କାର୍ଯ୍ୟ, କିଛି ଅସମାଜିକ ବ୍ୟକ୍ତିଙ୍କ ପାଇଁ କାର୍ଯ ବନ୍ଦ ହୋଇଯାଇଛି, ଫଳରେ ଟେରାକୋଟାର ଭବିଷ୍ୟତକୁ ନେଇ ଆଶଙ୍କା ଦେଖାଦେଇଛି ।
ସୂଚନା ଅନୁସାରେ, ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକର ଫତେପୁର ଠାରେ ପୂର୍ବ ସରକାରଙ୍କ ସମୟରେ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ମିଶନ ଶକ୍ତି ମାଧ୍ୟମରେ ଟେରାକୋଟା ତାଲିମ୍ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ସେମାନଙ୍କୁ ସ୍ବତନ୍ତ୍ର କ୍ଲଷ୍ଟର ମାଧ୍ୟମରେ ଗୋଟିଏ ସ୍ଥାନରେ ଉତ୍ପାଦନ ସହିତ ଉତ୍ପାଦିତ ଟେରାକୋଟା ସାମଗ୍ରୀ ଗୁଡିକୁ ବିକ୍ରୟ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ମାତ୍ର ସେମାନଙ୍କ ପାଇଁ ଉଦ୍ଦିଷ୍ଟ ମିଶନ ଶକ୍ତି ଗୃହ ଏବେ ଅସୁରକ୍ଷିତ ହୋଇପଡିଛି। ଗୃହର ପାଚେରୀ ନଥିବାରୁ ଅସାମାଜିକ ଲୋକମାନଙ୍କର ଆଡ୍ଡା ପାଲଟିଛି ମିଶନ ଶକ୍ତି ଗୃହ । ୪୦ ରୁ ଉର୍ଦ୍ଧ ମହିଳା ଏହି ଅସାମାଜିକ ଲୋକଙ୍କ ଯୋଗୁଁ ଦେଢ଼ମାସ ହେଲା କାମ ବନ୍ଦ କରିଦେଇଛନ୍ତି। ଏପରିକି ସେମାନଙ୍କ କଞ୍ଚା ମାଲ୍ ଯଥା- କୁଟା, କାଠ ଗୁଡ଼ିକୁ କେହି ନିଆଁ ଲଗାଇ ନଷ୍ଟ କରିଦେଇଥିବା ଜଣାପଡିଛି । ଏ ସମ୍ପର୍କରେ ଜିଲ୍ଲା ଓ ବ୍ଲକ୍ ପ୍ରଶାସନକୁ ଅବଗତ କରାଯାଇଥିବା ବେଳେ ପ୍ରଶାସନ କୈାଣସି ପଦକ୍ଷେପ ଗ୍ରହଣ କରୁନଥିବା ଅବିଯୋଗ ହୋଇଛି ।