
ବଢିବାରେ ଲାଗିଛି କେନ୍ଦୁଝର ଚମ୍ପୁଆ ରେଞ୍ଜ ଉଲୁଣ୍ଡା ସେକ୍ସନ ଅନ୍ତର୍ଗତ ଜ୍ୟୋତିପୁର ଅଞ୍ଚଳକୁ ବୈତରଣୀ ପାର ହୋଇ ମୟୁରଭଞ୍ଜ ପଟୁ ପଶି ଆସିଥିବା ୨୭ ଦଳିଆ ହାତୀ ପଲଙ୍କ ଉପଦ୍ରଵ । ପୂର୍ବ ଦିନ ରାତି ଏହି ହାତୀ ପଲ ତିନି ଭାଗରେ ବିଭକ୍ତ ହୋଇ ଜ୍ୟୋତିପୁର ବିଟ ଅଞ୍ଚଳର ବାଲିପଶି, ନିଶାଗଡ଼ିଆ, ମୋୖଦି ଅଞ୍ଚଳରେ ଏକର ଏକର ଧାନ ଫସଲ ନଷ୍ଟ କରିବା ସହ ବାଲିପଶି ଓ ନିଶାଗଡ଼ିଆ ଗ୍ରାମରେ ୬ଟି ଘର ଭାଙ୍ଗି ଘର ଭିତରୁ ଧାନ ଚାଉଳ ନଷ୍ଟ କରିଛନ୍ତି ।ଗତ ରାତିରେ ଏହି ହାତୀ ପଲ ମଧ୍ୟରୁ ତିନୋଟି ହାତୀ ବୈତରଣୀ ଡେଇଁ ମୟୁରଭଞ୍ଜ କୁ ଲେଉଟି ଯାଇଥିବା ବେଳେ, ରହି ଯାଇଥିବା ୨୪ ହାତୀ ପଲ ନିଶ୍ଚିନ୍ତ ପୁର, କମଣ୍ଡ ଓ ଶିରିକୁଆଁ ଗ୍ରାମ ରେ ୧୨ ଟି ଘର ଭାଙ୍ଗି ଥିବା ଜଣାପଡିଛି।
ରାତି ସାରା ଏହି ହାତୀପଲ ବ୍ୟାପକ କ୍ଷୟକ୍ଷତି କରିବାପରେ ହାତୀ ପଲ ନିକଟସ୍ଥ ଛେଳିଆନାଳ ଜଙ୍ଗଲରେ ରହିଥିବା ବେଳେ ଏମାନଙ୍କ ମଧ୍ୟରୁ ଦୁଇଟି ହାତୀ ଧାନ ବିଲରେ ନିର୍ଭୟରେ ଫସଲ ଖାଉଥିବା ଦେଖାଯାଇଛି। ଏହି ହାତୀ ପଲଙ୍କୁ ନେଇ ଆଖ ପାଖ ଅଞ୍ଚଳରେ ଲୋକେ ଆତଙ୍କିତ ଅବସ୍ଥାରେ ଥିବା ଜଣା ପଡିଛି।