
୨୦୨୪ ଜୁଲାଇ ୧, ସୋମବାର, ଭାରତୀୟ ଆଇନ ଇତିହାସରେ ଆସିଲା ବିରାଟ ପରିବର୍ତ୍ତନ। ଆଜିଠାରୁ ଦେଶରେ ଲାଗୁ କରାଯାଇଛି ୩ ନୂଆ ଅପରାଧିକ ଆଇନ। ବ୍ରିଟିଶ ଅମଳର ଇଣ୍ଡିଆନ ପେନାଲ କୋଡ (IPC) ହେଲା ଭାରତୀୟ ନ୍ୟାୟ ସଂହିତା (BNS)। କୋଡ ଅଫ କ୍ରିମିନାଲ ପ୍ରୋସିଜ୍ୟୁଅର ବା (CRPC) ଏବେ ହେଲା ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS) ଓ ଇଣ୍ଡିଆନ ଏଭିଡେନ୍ସ ଆକ୍ଟ (IEA) ହେଲା ଭାରତୀୟ ସାକ୍ଷ୍ୟ ଅଧିନିୟମ (BAS)। ଜୁଲାଇ ୧ ରାତି ୧୨ଟାରୁ ନୂଆ ତିନିଟି ଆଇନକୁ ଲାଗୁ କରିଛନ୍ତି କେନ୍ଦ୍ର ସରକାର। ଏଣିକି ଅନଲାଇନରେ ମଧ୍ୟ ଏଫଆଇଆର ଦାୟର କରାଯାଇ ପାରିବ। ଏହା ବ୍ୟତୀତ, ମହିଳାଙ୍କ ସହ ଜଡିତ ଅପରାଧ ମଧ୍ୟରୁ ଅଧିକାଂଶରେ ଅଧିକ ଦଣ୍ଡବିଧାନର ବ୍ୟବସ୍ଥା କରାଯାଇଛି। ତେବେ ୩ଟି ନୂଆ ଆଇନରେ କଣ ବିଶେଷତା ରହିଛି ସେ ସମ୍ବନ୍ଧରେ ଆସନ୍ତୁ ଜାଣିବା।

୧ ଜୁଲାଇ ପୂର୍ବରୁ ଅର୍ଥାତ୍ ଜୁନ ୩୦, ୨୦୨୪ ପର୍ଯ୍ୟନ୍ତ ଦାୟର ହୋଇଥିବା ମାମଲା ପୂର୍ବ ନିୟମ ମୁତାବକ ଯାଞ୍ଚ ଓ ଟ୍ରାଏଲ ହେବ।
ସିଆରପିସିରେ ୪୮୪ ଧାରା ଥିଲା, ଏବେ ବିଏନଏସଏସରେ ଏହାକୁ ବଢାଇ ୫୨୧ କରାଯାଇଛି। ସେହିପରି ଆଇପିସିରେ ପୂର୍ବରୁ ୩୫୭ ଧାରା ରହିଥିଲା, ଯାହା ଏବେ ୫୧୧ ହୋଇଛି। ଆଇଇଏରେ ୧୬୭ ଧାରା ଥିଲା, ତାକୁ ନୂଆ ବିଏସଏରେ ବଢାଇ ୧୭୦ ଧାରା କରାଯାଇଛି।
ଏଥିରେ ଡିଜିଟାଲ ସାକ୍ଷ୍ୟକୁ ମଧ୍ୟ ଗ୍ରହଣ କରିବାର ବ୍ୟବସ୍ଥା ରହିଛି। ତେବେ ଏଥିପାଇଁ ଫରେନ୍ସିକ ଯାଞ୍ଚ ହେବ।
କୌଣସି ଅପରାଧିକ ମାମଲାରେ କେହି ବି ନାଗରିକ କୌଣସି ସ୍ଥାନରୁ ଏଫଆଇଆର ଦାୟର କରିପାରିବେ। ଏହାକୁ ଯାଞ୍ଚ ପାଇଁ ସମ୍ପୃକ୍ତ ଥାନାକୁ ପଠାଇ ଦିଆଯିବ।

ଶୁଣାଣି ଶେଷ ହେବାର ୪୫ ଦିନ ଭିତରେ ରାୟ ପ୍ରକାଶ
ପ୍ରଥମ ଶୁଣାଣିର ୬୦ ଦିନ ଭିତରେ ଚାର୍ଜଫ୍ରେମ୍ ଦାଖଲ

ଅଭିଭାବକଙ୍କ ଉପସ୍ଥିତିରେ ମହିଳା ପୋଲିସ ନେବେ ଦୁଷ୍କର୍ମ ପୀଡ଼ିତାଙ୍କ ବୟାନ
୭ ଦିନ ଭିତରେ ପୀଡ଼ିତାଙ୍କ ମେଡିକାଲ ରିପୋର୍ଟ ପ୍ରଦାନ
ସାଙ୍ଗଠନିକ ଅପରାଧ ଓ ଆତଙ୍କବାଦର ସଂଜ୍ଞା ପରିବର୍ତ୍ତନ
‘ରାଜଦ୍ରୋହ’ ବଦଳରେ ‘ଦେଶଦ୍ରୋହ’ ଶବ୍ଦ ସାମିଲ

ସମସ୍ତ ତଲାସୀ ଓ ଜବତ କ୍ଷେତ୍ରରେ ଭିଡ଼ିଓଗ୍ରାଫି ବାଧ୍ୟତାମୂଳକ
ଗିରଫ ହେବା ପରେ ବ୍ୟକ୍ତି ପରିବାର ଓ ସମ୍ପର୍କୀୟଙ୍କୁ ଜଣାଇପାରିବେ
ନିଜର ସ୍ଥିତି ସମ୍ପର୍କରେ ଜଣାଇବାକୁ ମିଳିଛି ଅଧିକାର
ଗିରଫ ସମ୍ପର୍କିତ ସମସ୍ତ ତଥ୍ୟ ଥାନା କିମ୍ବା ପୋଲିସ ମୁଖ୍ୟାଳୟରେ ରଖାଯିବ
ବ୍ୟକ୍ତିଗତ ନୁହେଁ; ଇଲେକ୍ଟ୍ରୋନିକ ମାଧ୍ୟମରେ କରିହେବ FIR