ଚମ୍ପୁଆ ସୀମାନ୍ତ ଝାଡ଼ଖଣ୍ଡ, ପଶ୍ଚିମ ସିଂହଭୂମ ଜିଲ୍ଲାର ଚକ୍ରଧରପୁର ରେଳ ବିଭାଗର ତାଲାବୁରୁ ଏବଂ କେନ୍ଦୋପୋସି ରେଳ ଷ୍ଟେସନ ମଧ୍ୟରେ ଥିବା ରେଳ ଟ୍ରାକରୁ ଚାରି ଜଣଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ମିଳିଛି । ଟ୍ରାକରେ ପଡ଼ିଥିବା ଶବଗୁଡ଼ିକରେ ଜଣେ ଯୁବକ, ଜଣେ ମହିଳା ଏବଂ ଦୁଇ ଶିଶୁ, ଗୋଟିଏ ଆଠ ମାସର ଶିଶୁ, ଏବଂ ଗୋଟିଏ ଅଢେଇ ବର୍ଷ ଝିଅର ଶବ ରହିଥିବା ସୂଚନା ରହିଛି ।
ଶବ ଗୁଡ଼ିକୁ ଅନେକ ଖଣ୍ଡରେ ବିଭକ୍ତ କରାଯାଇଛି । ଦୁଇ ଶିଶୁଙ୍କ ମୃତ ଦେହକୁ ପ୍ଲାଷ୍ଟିକ ଆଖାରେ ଭର୍ତ୍ତି କରାଯାଇ ଥିଲାବେଳେ, ୪ ଟି ଯାକ ମୃତ ଦେହ ତ୍ରାକର ଅଲଗା ଅଲଗା ସ୍ଥାନରେ ପଡିଥିବା ଦେଖିବାକୁ ମିଳିଛି । ମହିଳାଙ୍କ ଶରୀରର ହାତ ଓ ଗୋଡ଼ ବନ୍ଧା ଯାଇଥିଲା ବେଳେ, ତାଙ୍କ ଶରୀରକୁ ଦୁଇ ଭାଗରେ କଟିଥିବା ଦେଖିବାକୁ ମିଳିଛି । ସେହିପରି ଯୁବକଙ୍କ ମୁଣ୍ଡ ତାଙ୍କ ଶରୀରରୁ ଅଲଗା ହୋଇ ଥିବା ଦେଖାଯାଇଛି । ହତ୍ୟା ପରେ ସେମାନଙ୍କ ମୃତଦେହକୁ ରେଲୱେ ଟ୍ରାକରେ ଫୋପାଡି ଦିଆଯାଇଥିବା ସନ୍ଦେହ କରାଯାଉଛି ।
ତେବେ ଏହା ହତ୍ୟାକାଣ୍ଡ ନା ନାହିଁ ସେନେଇ କିଛି ସ୍ପଷ୍ଟ ହୋଇନାହିଁ। ଗତକାଲି ରାତିରେ ଏହି ଘଟଣା ଘଟିଥିବା କୁହାଯାଉଛି। ମୃତଦେହ ଦେଖିବା ପରେ ଟ୍ରାକରେ ଟ୍ରେନ୍ ଚଳାଚଳ ବନ୍ଦ ରଖାଯାଇଛି । ମୃତ ୪ ଜଣଙ୍କର ପରିଚୟ ମଧ୍ୟ ମିଳିପାରିନାହିଁ । ପୋଲିସ ମୃତଦେହ ଚିହ୍ନଟ କରିବା ପାଇଁ ଚେଷ୍ଟାଚଳାଇଛି । ଡିଏସପି ରାକେଶ ମିନଜଙ୍କ ସହ ଜଗନ୍ନାଥପୁର ରେଳବାଇ ପୋଲିସ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହି ତଦନ୍ତ ଚଳାଇଛନ୍ତି । ଘଟଣାର ଅନୁସନ୍ଧାନ ପାଇଁ ଫୋରେନସିକ୍ ଟିମ୍ ଓ ଡଗ୍ ସ୍କ୍ୱାର୍ଡ ଡକାଯାଇ ଅନୁସନ୍ଧାନ ଜାରୀ ରଖାଯାଇଛି ।