କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ସଦର ରେଞ୍ଜ ନେଲୁଙ୍ଗ ଗ୍ରାମରେ ଭାଲୁ ଆକ୍ରମଣରେ ଜଣେ ବୃଦ୍ଧା ଗୁରୁତ୍ତର ହୋଇଥିବା ଜଣାପଡିଛି। ଗୁରୁତର ବୃଦ୍ଧାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟର ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ କେନ୍ଦୁଝର ସହର ଉପକଣ୍ଠ ନେଲୁଙ୍ଗ ଗ୍ରାମରେ ଥିବା ପାହାଡ (ହୁଡ଼ି)ରେ ୫ ରୁ ଉର୍ଦ୍ଧ୍ବ ଭାଲୁ ରହି ଆସୁଛନ୍ତି। ପ୍ରତେକ ଦିନ ସନ୍ଧ୍ୟାରେ ଭାଲୁ ମାନେ ହୁଡ଼ିରୁ ବାହାରି ଖାଦ୍ୟ ଅନ୍ୱେଷଣରେ ବାହାରକୁ ବାହାରି ଆସିଥାନ୍ତି ଏବଂ ସକାଳୁ ପୁଣି ପାହାଡ ଉପରକୁ ଚାଲିଯାଆନ୍ତି । ତେବେ ଆଜି ସକାଳୁ ନେଲୁଙ୍ଗ ଗ୍ରାମର ସ୍ବର୍ଗତ ହରି ନାଏକଙ୍କ ସ୍ତ୍ରୀ ଚଞ୍ଚଳା ନାଏକ ଶୌଚ ହେବା ପାଇଁ ପାହାଡ ନିକଟକୁ ଯାଇଥିବା ସମୟରେ ଏକ ବିରାଟ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା । ଚଞ୍ଚଳା ଚିତ୍କାର କରିବାରୁ ଗ୍ରାମବାସୀ ପହଁଚି ଭାଲୁକୁ ଘଉଡାଇଥିଲେ। ଭାଲୁଟି ଚଞ୍ଚଳାକୁ ଛାଡି ପାହାଡ ଉପରକୁ ଚାଲିଯାଇଥିଲା ।ଗ୍ରାମବାସୀ ସଂଗେସଂଗେ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ଚଞ୍ଚଳାଙ୍କର ପିଠି ଓ ମୁହଁରେ ଗଭୀର କ୍ଷତ ହୋଇଥିବା ଜଣାପଡିଛି। ଚଞ୍ଚଳା ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ବେଳେ ତାଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ଗ୍ରାମବାସୀ ଜଙ୍ଗଲ ବିଭାଗକୁ ଦାବି କରିଛନ୍ତି ।