ଚିକିତ୍ସା ଅବହେଳା ଯୋଗୁ ଡେଙ୍ଗୁରେ ଆଖି ବୁଜିଲେ ମହିଳା

ଡେଙ୍ଗୁରେ ଆଖି ବୁଜିଲେ ମହିଳା । ମୃତକଙ୍କ ନାମ ଚନ୍ଦ୍ରକଳା ମାନସିଂହ(୫୯) । କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାରେ ଅବହେଳା ଯୋଗୁ ଚନ୍ଦ୍ରକଳାଙ୍କ ମୃତ୍ୟୁ ହୋଇଥିବା ସ୍ୱାମୀ କୁଳମଣି ମାନସିଂହ ଅଭିଯୋଗ କରିଛନ୍ତି । କୁଳମଣି କହିଛନ୍ତି, ଖୋର୍ଦ୍ଧା ଗଡ଼ମାଣିତ୍ରୀରୁ ପତ୍ନୀ ଚନ୍ଦ୍ରକଳାଙ୍କୁ ଗୁରୁବାର ଦିନ ୧୧ଟା ବେଳେ କ୍ୟାପିଟାଲ ହସ୍ପିଟାଲକୁ ଆଣିଥିଲେ । ଏହା ପୂର୍ବରୁ ଏକ ଘରୋଇ ଲାବ୍‌ରେ ପତ୍ନୀଙ୍କ ଡେଙ୍ଗୁ ପରୀକ୍ଷା କରିଥିଲି । ରିପୋର୍ଟରେ ପଜିଟିଭ୍‌ ଆସିଥିଲା । ତେଣୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲକୁ ଆସିଥିଲୁ ।

ଚନ୍ଦ୍ରକଳାକୁ ପ୍ରଥମେ ଜରୁରିକାଳୀନ ୱାର୍ଡରେ ଦେଢ଼ ଘଣ୍ଟା ରଖିଲା ପରେ ଡେଙ୍ଗୁ ୱାର୍ଡକୁ ନେଇଥିଲେ । ସେଠାରେ କେହି ଚିକିତ୍ସା ପାଇଁ ଆସିନଥିଲେ । ଦିନ ୩ଟାରେ ନର୍ସ ଆସି ପ୍ଲେଟ୍‌ଲେଟ୍‌ ଆଣିବା ପାଇଁ କହିଥିଲେ । ବ୍ଲଡ୍‌ ବ୍ୟାଙ୍କ ଯାଇ ଦିନ ୪ରୁ ଅପେକ୍ଷା କରି ରାତି ୮ଟା ବେଳେ ଯାଇ ପ୍ଲେଟ୍‌ଲେଟ୍‌ ମିଳିଲା । ଏହାରି ଭିତରେ ଡାକ୍ତର ଆସି ରାତି ୭ଟା ବେଳେ ଔଷଧ ଲେଖିଥିଲେ । ଆଣିଥିବା ପ୍ଲେଟ୍‌ଲେଟ୍‌କୁ ରାତି ୮.୪୦ରେ ଲଗାଯାଇଥିଲା । ଏହାର ଘଣ୍ଟାକ ପରେ ଦେହ କୁଣ୍ଡେଇ ହେଉଛି ବୋଲି ଚନ୍ଦ୍ରକଳା ଚିତ୍କାର କରିଥିଲେ । ଆମେ ଯାଇ ନର୍ସଙ୍କୁ କହିଲାରୁ ସେ ଶୁଣିନଥିଲେ । ଛଟପଟ ହୋଇ ରାତି ୧୦ଟା ବେଳକୁ ଚନ୍ଦ୍ରକଳାଙ୍କ ଜୀବନ ଚାଲିଗଲା । ଏ ସମ୍ପର୍କରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇନାହିଁ ।

Leave a Reply

Your email address will not be published. Required fields are marked *