ଅଢ଼େଇ ବର୍ଷର ଝିଅକୁ ଧରି ନଦୀକୁ ଡେଇଁପଡ଼ିଲେ ବାପା

ଅଢ଼େଇ ବର୍ଷର ଝିଅକୁ ଧରି ବୈତରଣୀ ସେତୁରୁ ନଦୀକୁ ଡେଇଁ ପଡ଼ିଲା ବାପା। ଏପର୍ଯ୍ୟନ୍ତ ବାପଝିଅଙ୍କର କୌଣସି ପତ୍ତା ମିଳିନାହିଁ। ହ୍ୟାଲୋ ଜେଜେ, ମୁଁ ତୃପ୍ତି କହୁଛି । ବାପା କହିଲେ ଆମେ ମା’ ପାଖକୁ ଯାଉଛୁ । ଆମକୁ ଆଉ ଖୋଜିବନି । ମା’କୁ ଛାଡ଼ି ଆମେ ଆଉ ରହି ପାରୁନୁ । ଏହାପରେ ଫୋନ୍‌ ସୁଇଚ୍‌ ଅଫ୍‌ । ଏପରି ଦୁଃଖଦ ଘଟଣା ଘଟିଛି ଭଦ୍ରକ ଜିଲ୍ଲାର ଭଣ୍ଡାରୀପୋଖରୀ ଥାନା ଅନ୍ତର୍ଗତ ଆଖୁଆପଦା ବୈତରଣୀ ସେତୁ ଉପରେ।

ପ୍ରତ୍ୟକ୍ଷଦର୍ଶୀଙ୍କ କାବିହା ଅନୁଯାୟୀ, ଗତକାଲି ରାତି ପ୍ରାୟ ସାଢ଼େ ୯ଟା ସମୟରେ ଵାଲିପୋଖରୀ ପଞ୍ଚାୟତ ପରମାନନ୍ଦପୁର ଗାଁର ଚନ୍ଦନ ସାହୁ ଓ ତାଙ୍କ ନାବାଳିକା ଝିଅ ମଟର ସାଇକେଲରେ ଆସି ପୋଲ ଉପରେ ରହିଥିଲେ। ସେଠାରେ ଚନ୍ଦନ ବାଇକ୍, ମୋବାଇଲ୍ ଓ ଜୋତା ରଖି ବାପଝିଅ ନଦୀକୁ ଡେଇଁ ପଡ଼ିଥିଲେ। ଚନ୍ଦନଙ୍କ ପତ୍ନୀ ଏକ ମାସ ପୂର୍ବରୁ ଆତ୍ମହତ୍ୟା କରିଥିଲେ। ତେବେ କେଉଁ ପରିସ୍ଥିତିରେ ବାପ ଝିଅ ନଦୀକୁ ଡେଇଁଲେ ତାର କାରଣ ଜଣାପଡିନାହିଁ। ପାରିବାରିକ କଳହ ପାଇଁ ଏପରି ଘଟିଥିବା ସନ୍ଦେହ କରାଯାଉଛି।

ସ୍ଥାନୀୟ ଲୋକେ ଏନେଇ ପୁଲିସ୍ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ବାପଝିଅଙ୍କୁ ଆଖପାଖରେ ଖୋଜି ଖୋଜି କରିଥିଲେ, ହେଲେ ପାଇ ନଥିଲେ। ଅନ୍ଧାର ପାଇଁ ନଦୀ ଭିତରେ ଖୋଜା ଖୋଜି କରିନଥିଲେ। ଆଜି ସକାଳେ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରୁଛନ୍ତି।

Leave a Reply

Your email address will not be published. Required fields are marked *