
କୌଣସି ସରପଞ୍ଚ ବ୍ଲକ୍ ଅଫିସ୍ ଓ ପଞ୍ଚାୟତ ଅଫିସ୍ ହେଉ କି ସରକାରୀ ଫାଇଲରେ ଦସ୍ତଖତ କରିବେନି କି ସାମିଲ ହେବେନି । ଏହି କଲମ ଛାଡ଼ ଆନ୍ଦୋଳନ ଡାକରା ଦେଇଛି ରାଜ୍ୟ ସରପଞ୍ଚ ମହାସଂଘ । ଏଥିସହ ବିଧାନସଭା ଆଗରେ ଅନିର୍ଦ୍ଦିଷ୍ଟ ସମୟ ଯାଏ ଆନ୍ଦୋଳନରେ ବସିବେ । ସରକାର ଏବେ ସୁଦ୍ଧା ସରପଞ୍ଚଙ୍କ ଦାବି ସମ୍ପର୍କରେ ନିଷ୍ପତ୍ତି ନେଇନଥିବାରୁ ସେମାନେ କାମ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ପଞ୍ଚାୟତ ମହାସଂଘର ସଭାପତି ରୋମାଞ୍ଚ ସାହୁ ଏହି ସୂଚନା ଦେଇଛନ୍ତି । ସୋମବାର ସନ୍ଧ୍ୟାରେ ଅନଲାଇନ୍ ମାଧ୍ୟମରେ ହୋଇଥିବା ସରପଞ୍ଚଙ୍କ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ପଞ୍ଚାୟତର ସବୁ କ୍ଷମତା ଫେରାଇବା ସହ ଆଉ ୧୫ଟି ଦାବି ପୂରଣ ପାଇଁ ସରପଞ୍ଚମାନେ ଗତ ୧୫ ତାରିଖରେ ରାଜଧାନୀରେ ଗର୍ଜନ କରିଥିଲେ । ଦାବି ପୂରଣ ନ କଲେ କାମ ବନ୍ଦ କରିବେ ବୋଲି ସରକାରଙ୍କୁ ଜଣାଇଥିଲେ । ସରପଞ୍ଚ ମହାସଂଘର ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ବି ଦେଇଥିଲେ । ତଥାପି ସରକାର ଏ ଯାଏ ଦାବି ଉପରେ ପଦୁଟିଏ ମନ୍ତବ୍ୟ ଦେଲେନି । ଏଥିପାଇଁ ଆଉ ଅପେକ୍ଷା ନ କରି ଦାବି ପୂରଣ ପାଇଁ କଲମଛାଡ଼ ଆନ୍ଦୋଳନ ପାଇଁ ନିଷ୍ପତ୍ତି ହୋଇଛି ।