ମଣିପୁରରେ ଥମୁନି ହିଂସା,ପୁଣି ଭାଇରାଲ ହେଲା ଝୁଲୁଥିବା କଟା ମୁଣ୍ଡ

ଦୁଇ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇ ଚଲାଇ ନେବା ଭିଡିଓ ଭାଇରାଲ ହେବା ପରେ ପୁଣି ଥରେ ଅଶାନ୍ତ ହୋଇ ଉଠିଛି ମଣିପୁର । ରାଜ୍ୟ ସାରା ଲୋକେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ଏବେ ପୁଣି ଏକ ସାଂଘାତିକ ଭିଡିଓ ସାମନାକୁ ଆସିଛି। ଏହି ଭିଡିଓରେ ଜଣେ ବ୍ୟକ୍ତିଙ୍କ କଟା ମୁଣ୍ଡକୁ ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଝୁଲାଇ ଦିଅଯାଇଥିବା ଦେଖିବାକୁ ମିଳିଛି। ମଣିପୁରରେ ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇବା ମାମଲାରେ ବର୍ତ୍ତମାନ ସୁଦ୍ଧା ୪ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି । ସେମାନଙ୍କୁ ଶୁକ୍ରବାର କୋର୍ଟରେ ହାଜର କରାଯିବା ପରେ କୋର୍ଟ ସେମାନଙ୍କୁ ୧୧ ଦିନ ପାଇଁ ପୁଲିସ ହାଜତକୁ ପଠାଇ ଦେଇଛନ୍ତି । ସମସ୍ତ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡ ଦେବାପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଏନ୍ ବୀରେନ୍ ସିଂହ କହିଛନ୍ତି ।

ଦୁଇ ମହିଳାଙ୍କୁ ନିବସ୍ତ୍ର କରି ରାସ୍ତାରେ ବୁଲାଇବା ଘଟଣାର ଭିଡିଓ ଭାଇରାଲ ହେବା ପରେ ଧୀରେ ଧୀରେ ଶାନ୍ତ ହୋଇ ଆସୁଥିବା ମଣିପୁର ସ୍ଥିତି ପୁଣି ଥରେ ଅଶାନ୍ତ ହେବାରେ ଲାଗିଛି। ଏହି ଘଟଣାରେ ଏଯାବତ ୫ ଜଣଙ୍କୁ ଗିରଫ କରାଯାଇ ସାରିଥିବା ବେଳେ ଏଯାବତ ଆହୁରି ବହୁ ଅଭିଯୁକ୍ତ ପୁଲିସ୍‌ କବଜାରୁ ବାହାରେ ଥିବା ଅଭିଯୋଗ ହେଉଛି। ଏହା ବିରୋଧରେ ରାଜ୍ୟର ବିଭିନ୍ନ ସ୍ଥାନରେ ଗତକାଲି ହଜାର ହଜାର ଲୋକ କଳା ପୋଷାକ ପିନ୍ଧି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ସୂଚନାନୁଯାୟୀ ମେ’ ୩ରୁ ମଣିପୁରରେ ମୈତେଇ ଓ କୁକି ସଂପ୍ରଦାୟ ମଧ୍ୟରେ ଜାତିଗତ ହିଂସାର ସୂତ୍ରପାତ ହୋଇଥିଲା । ଏହାର ଦିନକ ପରେ ଅର୍ଥାତ ମେ’ ୪ରେ ରାଜଧାନୀ ଇମ୍ଫାଲଠାରୁ ୩୫ କିମି ଦୂର କାଙ୍ଗ୍‌ପୋକ୍‌ପି ଜିଲ୍ଲାରେ ଏହି ହୃଦୟ ବିଦାରକ ଗଣଦୁଷ୍କର୍ମ ଘଟଣା ଘଟିଥିଲା । ମୁଷ୍ଟିମେୟ ଲୋକ କୁକି ସଂପ୍ରଦାୟର ଦୁଇଜଣ ମହିଳାଙ୍କୁ ନିକଟସ୍ଥ ଧାନବିଲରେ ଗଣଦୁଷ୍କର୍ମ କରିବା ପରେ ସେମାନଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇଥିଲେ । ପୀଡ଼ତା ମହିଳାଦ୍ୱୟ କ୍ରନ୍ଦନ କରିବା ସହ ଛାଡ଼ିଦେବାକୁ ଗୁହାରି କରୁଥିବାବେଳେ ଅଭିଯୁକ୍ତମାନେ ସେମାନଙ୍କ ପ୍ରତି ଯୌନ ନିର୍ଯାତନା ଦେଉଥିବା ଭିଡିଓରୁ ଜଣାପଡିଛି । ଘଟଣାର ପ୍ରାୟ ଅଡେଇ ମାସ ପରେ ଏହି ଭିଡିଓ ଭାଇରାଲ ହୋଇଥିବାବେଳେ ଦେଶବ୍ୟାପୀ ଆଲୋଡନ ସୃଷ୍ଟି ହୋଇଛି । ଘଟଣା ଘଟିବା ଏବଂ ଏହାର ଭିଡିଓ ଭାଇରାଲ ହେବାମଧ୍ୟରେ କିଛିମାସର ବ୍ୟବଧାନ ରହିଥିବାରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ସମ୍ଭବ ହୋଇପାରିନଥିଲା ବୋଲି ମୁଖ୍ୟମନ୍ତ୍ରୀ ସଫେଇ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *