ରତ୍ନବେଦୀରେ ମହାବାହୁ, ପୁଣି ଲୀଳାଖେଳ ଆରମ୍ଭ, ଆଜି ବାହାରିବ ନୀଳାଚଳ ଅବଢ଼ା

ଶେଷରେ ଶ୍ରୀମନ୍ଦିରରେ ବିଜେ କରିଛନ୍ତି ମହାବାହୁ । ନୀଳଦ୍ରି ବିଜେ ସହ ବିଶ୍ୱପ୍ରସିନ୍ଧ ରଥଯାତ୍ରା ଶେଷ ହୋଇଛି । ଶ୍ରୀମନ୍ଦିର ରତ୍ନ ସିଂହାସନରେ ବିଜେ କରିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର,ଦେବୀ ସୁଭଦ୍ରାଙ୍କ ସମେତ ଶ୍ରୀସୁଦର୍ଶନ ।

ଗତକାଲି ଘୋଷଯାତ୍ରାର ଅନ୍ତିମ ଦିନରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ଚତୁର୍ଦ୍ଧାମୂର୍ତ୍ତି । ସେମାନଙ୍କ ଠାରୁ ରସଗୋଲା ଓ ଚୁଡ଼ାଘଷା ଭୋଗ ଖାଇବା ପରେ ସନ୍ଧ୍ୟାରେ ନୀଳକନ୍ଦରକୁ ବିଜେ କରିଥିଲେ ମହାପ୍ରଭୁ । ଶ୍ରୀସୁଦର୍ଶନ,ଦେବୀ ସୁଭଦ୍ରା,ମହାପ୍ରଭୁ ବଳଭଦ୍ର ଓ ମହାପ୍ରଭୁ ଶ୍ରୀଜଗନ୍ନାଥ ଗୋଟି ପହଣ୍ଡିରେ ଜଣଙ୍କ ପରେ ଜଣେ ଶ୍ରୀମନ୍ଦିରକୁ ବିଜେ କରିଥିଲେ । ଏହି ଅପୂର୍ବ ଦୃଶ୍ୟ ଦେଖି ବିଭୋର ହୋଇଥିଲେ ଶ୍ରଦ୍ଧାଳୁ । ରଥରେ ଶ୍ରୀଜଗନ୍ନାଥଙ୍କ ବନ୍ଦାପନା ପରେ ମା’ଲକ୍ଷ୍ମୀଙ୍କ ବନ୍ଦାପନା ଭିତରଚ୍ଛ ମହାପାତ୍ର କରିଥିଲେ । ଏହାପରେ ଦେବୀ ଲକ୍ଷ୍ମୀ ସିଂହଦ୍ୱାର ହୋଇ ଭଣ୍ଡାର ଘରକୁ ବିଜେ କରିଥିଲେ । ମହାପ୍ରଭୁ ପହଞ୍ଚିବା ପରେ ସିଂହଦ୍ୱାରକୁ ଫିଟାଇ ଦିଆଯାଇଥିଲା। ମା’ଲକ୍ଷ୍ମୀଙ୍କ ସହ ଦେବଦାସୀ ଆସି ଦରଜା ବନ୍ଦ ଓ ଫିଟାଇବା କାର୍ଯ୍ୟ କରିଥିଲେ । ଦେବଦାସୀ ପରମ୍ପରା ଏବେ ପ୍ରଚଳନ ନଥିବାରୁ ପ୍ରତିହାରୀ ଓ ଗୋଚ୍ଛିକାର ସେବକମାନେ ଏହି ନୀତି ସମ୍ପନ୍ନ କରିଥିଲେ ।

ଶ୍ରୀମନ୍ଦିର ଭିତରେ ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ କରିବା ବେଳେ ଜୟବିଜୟ ଦ୍ୱାର ବନ୍ଦ ହୋଇଥିଲା । ପରେ ଦ୍ୱାର ଖୋଲାଯାଇ ଠାକୁର ଭଣ୍ଡାର ଅଭିମୁଖେ ନିଆଯାଇଥିଲା । ଭଣ୍ଡାର ଘରକୁ ମୁହଁ କରି ଭଣ୍ଡାର ଦ୍ୱାର ଠାରେ ବିଜେ କରିଥିବା ଦେବୀ ଲକ୍ଷ୍ମୀଙ୍କ ପାଖରେ ଠାକୁର ବିଜେ କରିଥିଲେ । ବନ୍ଦାପନା ଓ ରସଗୋଲା ଭୋଗ ଏହି ସମୟରେ ହୋଇଥିଲା । ଘସା ବିଡିଆ ମଣୋହି ପରେ ଠାକୁର ରତ୍ନ ସିଂହାସନକୁ ବିଜେ କରିଥିବା ବେଳେ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ବେଶ୍ ଭିଡ଼ ଜମିଥିଲା ।

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପୁଣି ଲୀଳାଖେଳ ଆରମ୍ଭ ହୋଇଛି । ବିଳମ୍ବିତ ରାତିରେ ରୁନ୍ଧା କାର୍ଯ୍ୟ ଶେଷ କରାଯାଇଥିଲା । ଆଜି ସକାଳେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ, ଅବକାଶ,ଅନ୍ୟାନ୍ୟ ନୀତି ସମ୍ପାଦନ ହୋଇଥିବା ବେଳେ ଅନ୍ୟାନ୍ୟ ନୀତିକାନ୍ତି ଜାରି ରହିଛି । ଗୋପାଳବଲ୍ଲଭ ଭୋଗ ପରେ ଆଜି ନୀଳାଚଳ ଅବଢ଼ା ବାହାରିବ । ଶ୍ରୀମନ୍ଦିରରୁ ଏହି ମହାପ୍ରସାଦ ପାଇ ଭକ୍ତ ଓ ସେବାୟତମାନେ ନିଜକୁ ଧନ୍ୟ ମନେ କରିବେ ।

Leave a Reply

Your email address will not be published. Required fields are marked *