ଅଡୁଆରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ। ରାଜ୍ୟ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନାଙ୍କୁ ପାଣ୍ଡିଆନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛନ୍ତି। ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଲିଖିତ ଅଭିଯୋଗ ଓ ତଥ୍ୟ ଆଧାରରେ ଏହି ନିର୍ଦ୍ଦେଶ ଦିଆଯାଇଛି। ଭି କେ ପାଣ୍ଡିଆନ ବିଭିନ୍ନ ଜିଲ୍ଲା ଗସ୍ତ କରିବା ବେଳେ ସେଠାରେ ତାଙ୍କ ଉଦ୍ଦେଶ୍ୟରେ ଆୟୋଜିତ ରାଜକୀୟ ସମ୍ବର୍ଦ୍ଧନା, ସାଧାରଣ ସଭା ଓ ତାଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଘୋଷଣାକୁ ବିରୋଧ କରିଥିଲେ ସାଂସହ ଓ ରାଜ୍ୟ ବିଜେପି ସଭାପତି। ଏହା ଭାରତୀୟ ପ୍ରଶାସନିକ ସେବା ନିୟମାବଳୀର ଉଲ୍ଲଙ୍ଘନ ବୋଲି ଅଭିଯୋଗ ହୋଇଥିଲା।
ଅଭିଯୋଗ ଆଧାରରେ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ଗତକାଲି ରାଜ୍ୟ ମୁଖ୍ୟ ସଚିବଙ୍କୁ ଚିଠି କରିଥିଲେ। ଚିଠିରେ ଉଲ୍ଲେଖ ରହିଛି କି, ଓଡ଼ିଶା କ୍ୟାଡ଼ରର ଜଣେ ଆଇଏଏସ ଅଫିସରଙ୍କ ବିରୁଦ୍ଧରେ ଜୁନ୍ ୨୪ତାରିଖରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ମନମୋହନ ଅଭିଯୋଗ କରିଥିଲେ। ଅଭିଯୋଗ ସହ ପାଣ୍ଡିଆନଙ୍କ ବିରୋଧରେ ଦେଇଥିଲେ ତଥ୍ୟ ପ୍ରମାଣ। ଏଥିସହ ସମ୍ପୃକ୍ତ ଆଇଓଏସଙ୍କ ବିରୋଧରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ଉଭୟ ନେତା।
କେନ୍ଦ୍ର ଚିଠି ସହ ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ନିଜ ଟ୍ୱିଟ୍ ମାଧ୍ୟମରେ ସାର୍ବଜନୀନ କରି କହିଛନ୍ତି ଯେ, ଓଡ଼ିଶା କ୍ୟାଡ଼ରର ଜଣେ ଅଫିସରଙ୍କ ଦ୍ୱାରା ଅଲଇଣ୍ଡିଆ ସର୍ଭିସ ରୁଲସର ଖୋଲା ଉଲ୍ଲଙ୍ଘନକୁ ଭାରତ ସରକାର ଗୁରୁତ୍ୱର ସହ ନେଇଛନ୍ତି । ରାଜ୍ୟ ସରକାର ଆଇଏଏସଙ୍କ କ୍ୟାଡ଼ର କଣ୍ଟ୍ରୋଲିଂ ଅଥରିଟି । ତେଣୁ ରୁଲ ଉଲ୍ଲଙ୍ଘନର ସ୍ପଷ୍ଟ ତଥ୍ୟ ପ୍ରମାଣ ଆଧାରରେ ଏ ଦିଗରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ହୋଇଛି । ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି ଷଡ଼ଙ୍ଗୀ।
ଅନ୍ୟପକ୍ଷରେ ଫାଇପ ଟି ସଚିବଙ୍କ ବିଭିନ୍ନ ଜିଲ୍ଲାକୁ ଘନ ଘନ ପରିଦର୍ଶନ ଓ ସେଠାରେ ଜନ ପ୍ରତିନିଧିଙ୍କ ଦାୟିତ୍ୱ ତୁଲାଇବା ଓ ବିଭିନ୍ନ ପ୍ରକଳ୍ପର ଉଦଘାଟନ, ଶିଳାନ୍ୟାସ, ଘୋଷଣାକୁ ନେଇ ରାଜ୍ୟରେ ଦୀର୍ଘ ଦିନରୁ ପୁଞ୍ଜିଭୂତ ହେଉଛି ଅସନ୍ତୋଷ। ବିରୋଧୀ ଏହାକୁ ନେଇ ସରକାର ତଥା ମୁଖ୍ୟମନ୍ତ୍ରୀଙ୍କୁ ଘନ ଘନ ସମାଲୋଚନା କରୁଛନ୍ତି। ସେପଟେ ସଚିବଙ୍କ କାର୍ଯ୍ୟ ପରିଧି ବୃଦ୍ଧି ପାଇଁ ବିଜେଡିରେ ମଧ୍ୟ ଚାପା ଅସନ୍ତୋଷ ଭରି ରହିଛି। ବର୍ତ୍ତମାନ କାର୍ମିକ ବିଭାଗର ନିର୍ଦ୍ଦେଶ ପରେ ମୁଖ୍ୟ ଶାସନ ସଚିବ ଏହା ଉପରେ କି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତା ଉପରେ ସମସ୍ତଙ୍କ ନଜର।