ମଣିପୁର: ଉତ୍ତ୍ୟକ୍ତ ଲୋକଙ୍କ ଦାବି ଯୋଗୁଁ ଗିରଫ ୧୨ ଉଗ୍ରବାଦୀ ମୁକ୍ତ

ମଣିପୁରରେ ହିଂସା ଥମିବା ବଦଳରେ ବଢ଼ିବାରେ ଲାଗିଛି । କେଉଁଠି ପୋଡ଼ାଜଳା ତ କେଉଁଠି ବିକ୍ଷୋଭ ପ୍ରଦର୍ଶନ । ସୁରକ୍ଷା ବାହିନୀ ଉପରକୁ ଆକ୍ରମଣ କରିବାକୁ ବି ପଛାଉ ନାହାଁନ୍ତି ଦୁର୍ବୃତ୍ତ । ଗତ କିଛି ଦିନ ହେଲା ଲାଗି ରହିଥିବା ହିଂସାକୁ ନେଇ ୧୨ ଜଣ ଉଗ୍ରବାଦୀଙ୍କୁ ଗିରଫ କରିଥିଲେ ସୁରକ୍ଷା ବାହିନୀ । ହେଲେ ପରିସ୍ଥିତି ଏମିତି ହେଲା ଶେଷରେ ସେମାନଙ୍କୁ ମୁକ୍ତ କରିବାକୁ ପଡ଼ିଲା ।

ପୂର୍ବ ଇମ୍ଫାଲ୍‌ ଅନ୍ତର୍ଗତ ଇଥାମ୍‌ ଗାଁରେ ସୁରକ୍ଷାକର୍ମୀଙ୍କୁ ଘେରାଉ କରିଥିଲେ ମହିଳା । ସେମାନଙ୍କ ନେତୃତ୍ବରେ ପ୍ରାୟ ୧୫୦୦ ଉତ୍ତ୍ୟକ୍ତ ଲୋକେ ସୁରକ୍ଷାକର୍ମୀଙ୍କୁ ଛାଡ଼ି ନଥିଲେ । ଶେଷରେ ବାଧ୍ୟ ହୋଇ ‘କାଙ୍ଗ୍‌ଲେଇ ୟାୱଲ୍‌ କାନ୍ନା ଲୁପ୍‌’ (KYKL)ର ୧୨ ଜଣ ଉଗ୍ରବାଦୀଙ୍କୁ ମୁକ୍ତ କରିଥିଲେ ସୁରକ୍ଷାକର୍ମୀ । ଏ ନେଇ ସରକାରୀ ଅଧିକାରୀମାନେ ଗଣମାଧ୍ୟମ ଆଗରେ ସ୍ପଷ୍ଟ କରିଛନ୍ତି । ସାଧାରଣ ନାଗରିକମାନଙ୍କ ଜୀବନ ବିପଦରେ ନ ପକାଇବା ଲାଗି ସେନା ଭାବିଚିନ୍ତି ଏଭଳି ନିଷ୍ପତ୍ତି ଗ୍ରହଣ କରିଛି । ମୁକ୍ତ ଉଗ୍ରବାଦୀମାନେ ଘଟଣାସ୍ଥଳରେ ଜବତ ଅସ୍ତ୍ରଶସ୍ତ୍ର ନେଇ ଚାଲି ଆସିଥିବା ସୁରକ୍ଷାବାହିନୀ ପକ୍ଷରୁ କୁହାଯାଇଛି ।

ଗତକାଲି ଇଥାମ୍‌ ଗାଁରେ ସୁରକ୍ଷା ବାହିନୀ ପକ୍ଷରୁ ଅଭିଯାନ ଆରମ୍ଭ ହୋଇଥିଲା । ଗୋଳାବାରୁଦ ଓ ଅସ୍ତ୍ରଶସ୍ତ୍ର ଜବତ କରିବା ସହ ମଣିପୁରୀ ଉଗ୍ରବାଦୀ ସଙ୍ଗଠନ KYKLର ୧୨ ଜଣ କ୍ୟାଡର୍‌ଙ୍କୁ ଗିରଫ କରଯାଇଥିଲା । ସେପଟେ କୋହିମା ଓ ଇମ୍ଫାଲ୍‌ର ପ୍ରତିରକ୍ଷା ଜନସମ୍ପର୍କ ଅଧିକାରୀ କହିଛନ୍ତି ଯେ କିଛି ମହିଳା ଓ ସ୍ଥାନୀୟ ନେତାଙ୍କ ନେତୃତ୍ବରେ ପ୍ରାୟ ୧୫୦୦ ଉତ୍ତ୍ୟକ୍ତ ଲୋକ ଘଟଣାସ୍ଥଳକୁ ଘେରି ଯାଇଥିଲେ ।

ସୁରକ୍ଷା ବାହିନୀ ପକ୍ଷରୁ ଚାଲିଥିବା ଅଭିଯାନରେ ସେମାନେ ବାଧା ଦେଇଥିଲେ । ବାରମ୍ବାର ଅନୁରୋଧ କରିବା ସତ୍ତ୍ୱେ କୌଣସି ସୁଫଳ ମିଳିନଥିଲା । ଉତ୍ତ୍ୟକ୍ତ ଜନତାଙ୍କ ଉପରେ ଆକ୍ରମଣ ନକରି ଶେଷରେ ୧୨ ଜଣ କ୍ୟାଡର୍‌ଙ୍କୁ ସ୍ଥାନୀୟ ନେତାଙ୍କୁ ହସ୍ତାନ୍ତର କରାଯାଇଥିଲା । ଜନଜାତି ମାନ୍ୟତା ପାଇଁ ଦାବି କରୁଥିବା ମଣିପୁରୀ ସମ୍ପ୍ରଦାୟ ବିରୋଧରେ ମେ’ ୩ ତାରିଖରେ ଆୟୋଜିତ ଟ୍ରାଇବାଲ୍‌ ସଲିଡାରିଟି ମାର୍ଚ୍ଚରେ ହିଂସାକାଣ୍ଡ ଘଟିଥିଲା । ସେବେଠାରୁ ଏଯାବତ୍‌ ମଣିପୁର ରାଜ୍ୟରେ ଅସ୍ଥିରତା ଲାଗି ରହିଛି ।

Leave a Reply

Your email address will not be published. Required fields are marked *