
ଡହଡ଼ହ ଖରାରେ ତଣ୍ଟି ଶୁଖିଯାଉଥିବା ବେଳେ ଜୀବନ ବିକଳରେ କିଏ ଫଳରସ, ଆଖୁରସ, ପାଣି କିମ୍ବା ମୃଦୁପାନୀୟ ପିଇବାକୁ ପସନ୍ଦ କରିଥାନ୍ତି । କିନ୍କୁ ଆପଣ ଜାଣିଛନ୍ତି କି ମୃଦୁପାନୀୟ ନାଁରେ ପଇସା ଦେଇ ଆପଣ ବିଷ ପିଉଛନ୍ତି ?

କଟକ ସୂତାହାଟ ଅଞ୍ଚଳରେ ନକଲି ମୃଦ୍ୟୁ ପାନୀୟ କମ୍ପାନୀରେ କଟକ ମହାନଗର ନିଗମ ପକ୍ଷରୁ ଚଢ଼ାଉ । କମ୍ପାନୀରେ CMCର ଫୁଡ୍ ସେଫ୍ଟି ଟିମ୍ ଏବଂ ପୋଲିସ ଅତର୍କିତ ଚଢ଼ାଉ କରିବା ପରେ ଯାଞ୍ଚ ଆରମ୍ଭ କରିଥିଲେ । ସେଠାରୁ ବିପୁଳ ପରିମାଣର ନାମିଦାମୀ କମ୍ପାନୀର ବୋତଲ,ଠିପି ଜବତ କରାଯାଇଛି । ସେହି କମ୍ପାନୀର କୌଣସି ବ୍ୟବସାୟିକ ଲାଇସେନ୍ସ ନାହିଁ । ସେଠାରୁ ବିପୁଳ ପରିମାଣର ନକଲି ମୃଦ୍ୟୁପାନୀୟ ଜବତ କରାଯାଇଛି । ଶେଷରେ କମ୍ପାନୀଟିକୁ ସିଲ୍ କରିଛି ସିଏମସି । ଏଥିସହ ମାଲିକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛି ସିଏମସି ।

ଏହି ନକଲି ମୃଦ୍ୟୁ ପାନୀୟ କଟକ ସହର ସମେତ ଆଖପାଖ ଜିଲ୍ଲାଗୁଡ଼ିକରେ ବିକ୍ରି ପାଇଁ ପଠାଯାଇଥାଏ । ୮ ଲକ୍ଷ ଟଙ୍କାର ମେସନ୍, ନକଲି ମୃଦ୍ୟୁପାନୀୟ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି । ଏଥିସହିତ ପାନୀୟ ସାମ୍ପୁଲକୁ ଲ୍ୟାବ୍ ପଠାଯାଇଛି । ରିପୋର୍ଟ୍ ଆସିବା ପରେ ବିଧିବଦ୍ଧ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ବର୍ତ୍ତମାନ କମ୍ପାନୀ ଉପରେ ୫୦ ହଜାର ଟଙ୍କା ଜରିମାନା ଲଗାଇଛି ସିଏମସି ।
ବର୍ତ୍ତମାନ ବଜାରରେ ନକଲି ଜିନିଷ ବହୁଳ ଭାବେ ଉପଲବ୍ଧ ହେଉଛି । କିଛି ଅସାଧୁ ବ୍ୟବସାୟୀ ଅଧିକ ଲାଭ ପାଇବା ଆଶାରେ ଜନସାଧାରଣଙ୍କ ଜୀବନକୁ ବିପନ୍ନ କରି ଅପମିଶ୍ରିତ ଖାଦ୍ୟପଦାର୍ଥ ବିକ୍ରି କରିବା ସହ ଏହାକୁ ଲୋଭନୀୟ କରିବା ପାଇଁ ଏଥିରେ ସିନ୍ଥେଟିକ୍ ରଙ୍ଗ, ସ୍ୱାଦବର୍ଦ୍ଧକ ସାମଗ୍ରୀ ଏବଂ ଶରୀର ପାଇଁ କ୍ଷତିକାରକ ରାସାୟନିକ ସାମଗ୍ରୀ ବ୍ୟବାହର କରୁଛନ୍ତି । ଅଧିକ ବିକ୍ରି ପାଇଁ ନାମିଦାମୀ କମ୍ପାନୀର ବ୍ରାଣ୍ଡ ନାମ ତଥା ଲୋଗୋ ବ୍ୟବହାର କରିବାକୁ ପଛାଉ ନାହାଁନ୍ତି । ଲୋକଙ୍କ ବିଶ୍ୱାସରେ ବିଷ ଦେଉଥିବା ଏହି ଅସାଧୁ ବ୍ୟବସାୟୀ କବଳରୁ ରକ୍ଷା ପାଇବାକୁ ହେଲେ ଉତ୍ତମ ଏବଂ ବିଶ୍ୱସ୍ତ ଦୋକାନୀଙ୍କ ଠାରୁ ଦେଖିଚାହିଁ ଜିନିଷ କିଣିବାକୁ ହେବ ।