
ରାତି ପାହିଲେ ଝାରସୁଗୁଡା ଉପନିର୍ବାଚନ ପାଇଁ ଭୋଟ। ସୋମବାରଠାରୁ ନିର୍ବାଚନ ପ୍ରଚାର ବନ୍ଦ ହୋଇଛି। ସ୍ଥାନୀୟ ବିଧାନସଭା ମଣ୍ଡଳୀରେ ଜାରି ରହିଛି ସାଇଲେଣ୍ଟ ପିରିଅଡ। ନିୟମ ଅନୁଯାୟୀ କୌଣସି ଦଳ ପକ୍ଷରୁ ଭୋଟରଙ୍କୁ ପ୍ରଭାବିତ କରାଯିବ ନାହିଁ କି ପ୍ରଚାର ହେବ ନାହିଁ। କିନ୍ତୁ ନିୟମ ବାହାରେ ସବୁ ଦଳ ପକ୍ଷରୁ ଶେଷ ମୁହୂର୍ତ୍ତରେ ଭୋଟରଙ୍କୁ ପ୍ରଭାବିତ କରିବାକୁ ସବୁ ପ୍ରକାର ଚେଷ୍ଟା ଜାରିରହିଛି। ଏପରି ସମୟରେ ବିଜେପି ପକ୍ଷରୁ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବାକୁ ଶାଢୀ ଅଣାଯାଇଥିବା ବେଳେ ଏହାକୁ ଜବତ କରାଯାଇଛି।

ଆଜି କୋଲାବିରା ବ୍ଲକ ଜମିଦାରପଡାକୁ ବିଜେପି ମଣ୍ଡଳ ଉପସଭାପତି ସଞ୍ଜୟ ପୂଜାରୀ ବିପୁଳ ଶାଢ଼ୀ ନେଇ ଆସୁଥିବା ବେଳେ ଫ୍ଲାଇଙ୍ଗ ସ୍କ୍ୱାଡ଼ ଶାଢୀ ସବୁକୁ ଜବତ କରିଥିବା ସୂଚନା ମିଳିଛିl ଫ୍ଲାଇଙ୍ଗ ସ୍କ୍ୱାଡ ଚଢ଼ାଉ ପରେ ପୂଜାରୀଙ୍କ ଘରୁ ୪୦୦ ଖଣ୍ଡ ନୂଆ ଶାଢ଼ୀ ମିଳିଥିଲା। ଜବତ ସମସ୍ତ ଶାଢ଼ୀ ଆଜି ଝାରସୁଗୁଡାର ଏକ ଦୋକାନରୁ କିଣା ଯାଇଥିବା ବେଳେ ମେସର୍ସ ସ୍ନେହା ମଲ୍ଟିମିଡ଼ିଆ ନାଁରେ ବିଲ କଟାଯାଇଛି। ସ୍କ୍ୱାଡ଼ ଶାଢ଼ୀ ଗୁଡିକ ଜବତ କରିଥିବା ବେଳେ ତଦନ୍ତ ଆରମ୍ଭ କରିଛିl

ସୂଚନାଯୋଗ୍ୟ, ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ମୋଟ ୨୫୩ଟି ଭୋଟଗ୍ରହଣ କେନ୍ଦ୍ରରେ ଆସନ୍ତା ୧୦ତାରିଖରେ ଭୋଟଗ୍ରହଣ ଅନୁଷ୍ଠିତ ହେବ ଓ ମୋଟ ୨.୨୧ଲକ୍ଷ ଭୋଟର ମତାଧିକାର ସାବ୍ୟସ୍ତ କରିବେ । ସେପଟେ ନିର୍ବାଚନ ପାଇଁ ପୋଲିଂ ପାର୍ଟି ସବୁ ଝାରସୁଗୁଡା ହେଡ କ୍ୱାଟରରୁ ବାହାରି ଗଲେଣି ନିଜ ନିଜ ବୁଥକୁ।