ରାଇରଙ୍ଗପୁରରେ ‘ବିକାଶ ଧାରା, ଓଡ଼ିଶା ସାରା’ କାର୍ଯ୍ୟକ୍ରମ

ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବ୍ଲକ ପରିସରରେ ‘ବିକାଶ ଧାରା, ଓଡ଼ିଶା ସାରା’ କାର୍ଯ୍ୟକ୍ରମର ପ୍ରଥମ ଦିନରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ସଂଖ୍ୟାଲଘୁ ଓ ପଛୁଆ ବର୍ଗଙ୍କ ପାଇଁ ‘ସମ୍ବାଦ ଓ ଆକାଂକ୍ଷା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଡିଓ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡାଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶତାଧିକ ଲୋକ ଯୋଗଦେଇଥିଲେ।କାର୍ଯ୍ୟକ୍ରମରେ ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଏବଂ ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, ବ୍ଲକ ଅଧ୍ୟକ୍ଷ ଜ୍ଞାନ ରଞ୍ଜନ ହେମ୍ବ୍ରମ, ସାଂସଦ ପ୍ରତିନିଧି ଅଶୋକ ମହାନ୍ତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।

ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ଗତ ଦୁଇ ବର୍ଷ ମଧ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ, ପୋଷଣ, ଜନଜାତି କଲ୍ୟାଣ, ଭିତ୍ତିଭୂମି ବିକାଶ, ଗମନାଗମନ, ପଶୁପାଳନ, ଜୀବିକା ଉନ୍ନୟନ ଓ ସ୍ୱାବଲମ୍ବନ କ୍ଷେତ୍ରରେ ସରକାରଙ୍କ ବିଭିନ୍ନ ଯୋଜନା ଓ ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ। ବିଶେଷକରି ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଅନ୍ୱେଷା, ଆକାଂକ୍ଷା, ଛାତ୍ରବୃତ୍ତି ଓ ଆବାସିକ ଶିକ୍ଷା ସୁବିଧା ଭଳି ବିଭିନ୍ନ ପଦକ୍ଷେପ ବିଷୟରେ ସୂଚନା ଦେଇଥିଲେ।ଏହି ଅବସରରେ ଆତ୍ମନିର୍ଭରଶୀଳତା ହାସଲ କରି ସମାଜ ପାଇଁ ଉଦାହରଣ ସୃଷ୍ଟି କରିଥିବା କିଛି ବ୍ୟକ୍ତି ଓ ଗୋଷ୍ଠୀଙ୍କୁ ଅତିଥିମାନେ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।ପରେ ଆଇଟିଡିଏ ପକ୍ଷରୁ ଆକର୍ଷଣୀୟ ଆଦିବାସୀ ନୃତ୍ୟ ପରିବେଷଣ କରାଯାଇଥିଲା, ଯାହା ଉପସ୍ଥିତ ଦର୍ଶକଙ୍କୁ ବେଶ ଆକର୍ଷିତ କରିଥିଲା।କାର୍ଯ୍ୟକ୍ରମରେ ୭୦୦ରୁ ଅଧିକ ଅନୁସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁ ଓ ପଛୁଆ ବର୍ଗର ମହିଳା ଏବଂ ସ୍ଥାନୀୟ ଜନସାଧାରଣ ଅଂଶଗ୍ରହଣ କରିଥିଲେ।

କାର୍ଯ୍ୟକ୍ରମ ପରିଚାଳନାରେ ବିଭିନ୍ନ ବିଭାଗର ଅଧିକାରୀ, ଇଞ୍ଜିନିୟର, କୃଷି ଅଧିକାରୀ, ଆଇଟିଡିଏ କର୍ମଚାରୀ, ଆଶା ଓ ଅଙ୍ଗନବାଡ଼ି କର୍ମୀ ସହଯୋଗ କରିଥିଲେ।
‘ବିକାଶ ଧାରା, ଓଡ଼ିଶା ସାରା’ କାର୍ଯ୍ୟକ୍ରମ ମାଧ୍ୟମରେ ସରକାରଙ୍କ ବିଭିନ୍ନ ଯୋଜନାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ସହ ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗଙ୍କ ଆକାଂକ୍ଷା ଏବଂ ଅଭିମତ ସଂଗ୍ରହ କରାଯାଉଥିବା ଜଣାପଡ଼ିଛି।