ଯୌତୁକ ନିର୍ଯାତନାରେ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, ‘ବୋହୂଙ୍କୁ ଅତ୍ୟାଚାର ଆଉ ଚାଲିବ ନାହିଁ’

ଯୌତୁକ ନିର୍ଯାତନା ଏବଂ ବିବାହ ପରବର୍ତ୍ତୀ ମାନସିକ ଉତ୍ପୀଡ଼ନ ଘଟଣାକୁ ନେଇ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ପ୍ରକାଶ କରିଛନ୍ତି। ଏକ ଯୌତୁକ ନିର୍ଯାତନା ମାମଲାର ଶୁଣାଣି ବେଳେ, ବିବାହ ପରେ କନ୍ୟା ଏବଂ ତାଙ୍କ ପରିବାରକୁ ଅପମାନିତ କରିବା କିମ୍ବା ହେୟ ଦୃଷ୍ଟିରେ ଦେଖିବା ସମ୍ପୂର୍ଣ୍ଣ ଅଗ୍ରହଣୀୟ ବୋଲି ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି । ଶୁଣାଣି ସମୟରେ କୋର୍ଟ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇ କହିଥିଲେ ଯେ, ବିବାହ ଦୁଇଟି ପରିବାର ମଧ୍ୟରେ ସମ୍ପର୍କର ଏକ ପବିତ୍ର ବନ୍ଧନ। ତେବେ ବିବାହ ପରେ କେତେକ କ୍ଷେତ୍ରରେ କନ୍ୟା ଓ ତାଙ୍କ ପରିବାରକୁ ଅପମାନ, ନିର୍ଯାତନା ଏବଂ ଅବହେଳାର ଶିକାର ହେବାକୁ ପଡୁଥିବା ଘଟଣା ଦେଖାଯାଉଛି, ଯାହା ସମାଜ ପାଇଁ ଚିନ୍ତାଜନକ।

କୋର୍ଟ ପ୍ରଶ୍ନ କରିଥିଲେ, “ଯେଉଁ ଝିଅକୁ ବିବାହ କରି ଘରକୁ ଆଣୁଛନ୍ତି, ତାଙ୍କୁ ଏବଂ ତାଙ୍କ ପରିବାରକୁ କାହିଁକି ଅପମାନିତ କରାଯାଉଛି?” ଏଭଳି ମାନସିକତା ଓ ପ୍ରବୃତ୍ତି ସମାଜରୁ ସମୂଳେ ଦୂର ହେବା ଆବଶ୍ୟକ ବୋଲି ଅଦାଲତ ମତ ପ୍ରକାଶ କରିଛନ୍ତି।ସୁପ୍ରିମକୋର୍ଟଙ୍କ ଏହି ଟିପ୍ପଣୀକୁ ମହିଳାଙ୍କ ସମ୍ମାନ, ଅଧିକାର ଏବଂ ସୁରକ୍ଷା ପ୍ରତି ଏକ ଦୃଢ଼ ବାର୍ତ୍ତା ଭାବେ ଦେଖାଯାଉଛି। ଆଇନ ବିଶେଷଜ୍ଞଙ୍କ ମତରେ, ଏହି ପର୍ଯ୍ୟବେକ୍ଷଣ ଯୌତୁକ ନିର୍ଯାତନା ଓ ବିବାହ ପରବର୍ତ୍ତୀ ଉତ୍ପୀଡ଼ନ ବିରୋଧରେ ଲଢ଼ୁଥିବା ମହିଳାମାନଙ୍କୁ ଅଧିକ ସାହସ ଓ ନ୍ୟାୟିକ ସମର୍ଥନ ଯୋଗାଇବ।

ସାମାଜିକ ସଚେତନତା ସହ ଆଇନର କଠୋର ପ୍ରୟୋଗ ମାଧ୍ୟମରେ ଏଭଳି ଅପରାଧକୁ ରୋକାଯାଇପାରିବ ବୋଲି ଅଦାଲତଙ୍କ ମତାମତରୁ ସ୍ପଷ୍ଟ ହୋଇଛି। ବିବାହ ଏକ ସମ୍ମାନ ଓ ବିଶ୍ୱାସର ସମ୍ପର୍କ, ଏହାକୁ ଅପମାନ ଓ ନିର୍ଯାତନାର ମାଧ୍ୟମ କରାଯିବା କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ ବୋଲି ସୁପ୍ରିମକୋର୍ଟ ଜୋର ଦେଇ କହିଛନ୍ତି।