ଭାଙ୍ଗିରୁଜି ପଡ଼ୁଛି ଅଙ୍ଗନୱାଡି ଘର, ଗଛ ତଳେ ପାଠ ପଢ଼ୁଛନ୍ତି କୁନି ପିଲା

ରାତି ପାହିଲେ ସରକାର ଡିଣ୍ଡିମ ପିଟୁଛନ୍ତି ଆଜିର ପିଲା କାଲିର ଭବିଷ୍ୟତ|ଯେଉଁ ଭବିଷ୍ୟତକୁ ନେଇ ସ୍ବପ୍ନ ଦେଖୁଛନ୍ତି ପିଲାଙ୍କ ଅବିଭାବକ ହେଲେ ପାଠ ପଢାରେ ଛୋଟ ପିଲାଙ୍କୁ ନେଇ ଏ କି ପ୍ରକାର ଅବ୍ୟବସ୍ତା| କେଉଁଠି ଖୋଲା ଆକାଶ ତଳେ ବିତୁଛି ଜୀବନ ତ, କେଉଁଠି ବିପଦ ସଙ୍କୁଳ ଅବସ୍ଥାରେ ପିଲାଙ୍କ ଜୀବନ ବାଜିରେ ଲାଗୁଛି|ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ତାମଳ ବନ୍ଧ ଗାଁର ଅଙ୍ଗନୱାଡି କେନ୍ଦ୍ରରେ|ଏହା ହେଉଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ପୁରୁଣାପାଣି ପଞ୍ଚାୟତର ତାମଳବନ୍ଧ ଗାଁର ଅଙ୍ଗନୱାଡି କେନ୍ଦ୍ର।କେନ୍ଦ୍ରର ଅବସ୍ଥା ଏପରି ଯେ, ଘର ଉପରୁ ସିମେଣ୍ଟ ଛାଡି ତଳେ ପଡୁଛି। ଯେ କୌଣସି ସମୟରେ ବଡ଼ ଦୁର୍ଘଟଣା ମଧ୍ୟ ଘଟିପାରେ। ସେଥିପାଇଁ ଅଙ୍ଗନୱାଡି ଦିଦି ଛୋଟ ଛୋଟ ପିଲାଙ୍କୁ ଖୋଲା ଆକାଶ ତଳେ ଓ ଗଛ ଛାଇରେ ବସାଇ ପାଠ ପଢ଼ାଉଛନ୍ତି। କୁନି କୁନି ପିଲା ମାନେ ସ୍କୁଲ ବାରଣ୍ଡା ବାହାରେ ଖୋଲା ଆକାଶ ତଳେ ଭୂଇଁ ରେ ବସି ପଢୁଛନ୍ତି।

ସେଥିରେ ପୁଣି ପିଲାମାନଙ୍କୁ ଖରା ବର୍ଷା ର ସମସ୍ଯା ଭୋଗିବାକୁ ପଡୁଛି। କିନ୍ତୁ ଶିଶୁ ମାନଙ୍କ ବିକାଶ ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କରୁଛନ୍ତି ହେଲେ ଏହି ଚିତ୍ର ଦେଖିଲେ କେତେଦୂର ବିକାଶ ହୋଇଛି ତାହା ଜଳ ଜଳ ହୋଇ ଦେଖାଯାଉଛି।ଖରା ହେଉ କି ବର୍ଷା, ଏହି ପରିବେଶରେ ପାଠପଢ଼ା କରିବାକୁ ପଡ଼ୁଛି କୁନି କୁନି ପିଲାମାନଙ୍କୁ। ବର୍ଷା ଦିନରେ ଅନେକ ଅଭିଭାବକ ନିଜ ପିଲାଙ୍କୁ ଅଙ୍ଗନୱାଡି ପଠାଇବାକୁ ମଧ୍ୟ ଭୟ କରୁଛନ୍ତି।ରାଜ୍ୟ ସରକାର ଶିଶୁ ବିକାଶ ପାଇଁ ବିଭିନ୍ନ ଯୋଜନାର କଥା କହୁଥିବା ବେଳେ ତାମଳବନ୍ଧ ଗାଁର ଏହି ଚିତ୍ର ସେହି ଦାବି ଉପରେ ପ୍ରଶ୍ନ ଉଠାଉଛି।ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଗତ ଦୁଇ ବର୍ଷ ଧରି ସେମାନେ ରାଇରଙ୍ଗପୁର ବିଡିଓ ଓ ସିଡିପିଓଙ୍କୁ ବାରମ୍ବାର ଲିଖିତ ଅଭିଯୋଗ କରିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ନୂଆ ଅଙ୍ଗନୱାଡି ଘର ନିର୍ମାଣ କିମ୍ବା ପୁରୁଣା ଘରର ମରାମତି ପାଇଁ କୌଣସି ଠୋସ୍ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି।

ଏପଟେ ଘଟଣାକୁ ନେଇ ସିଡିପିଓଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ସେ କହିଛନ୍ତି, ଖୁବ ଶୀଘ୍ର ନୂଆ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ।
ତେବେ ପ୍ରଶ୍ନ ଉଠୁଛି, ଶିଶୁଙ୍କ ସୁରକ୍ଷା ଓ ଶିକ୍ଷା ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ପ୍ରଶାସନ କେବେ ଚେତିବ? କୁନି କୁନି ପିଲାମାନେ ଆଉ କେତେଦିନ ଖୋଲା ଆକାଶ ତଳେ ପାଠ ପଢ଼ିବେ? ବର୍ତ୍ତମାନ ସମସ୍ତଙ୍କ ନଜର ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ ଉପରେ ରହିଛି।