ନର୍ସ କେଳେଙ୍କାରୀ: ଦଲାଲ ଗିରଫକୁ ନେଇ କଂଗ୍ରେସର ପ୍ରତିକ୍ରିୟା

ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜର ନର୍ସ ନିଯୁକ୍ତି କେଳେଙ୍କାରୀ ଘଟଣାରେ ଦଲାଲ ଭାବେ ସଂପୃକ୍ତ ଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିବା ପରେ ରାଜନୈତିକ ମହଲରେ ଏହାକୁ ନେଇ ପ୍ରତିକ୍ରିୟା ଜୋର ଧରିଛି। ଏହି ପ୍ରସଙ୍ଗରେ ଜିଲ୍ଲା କଂଗ୍ରେସ ଉପସଭାପତି ସଂଗ୍ରାମ କେଶରୀ କୁଅଁର ନିଜ ପ୍ରତିକ୍ରିୟା ରଖିଛନ୍ତି।ଜିଲ୍ଲା କଂଗ୍ରେସ ଉପସଭାପତି ସଂଗ୍ରାମ କେଶରୀ କୁଅଁର କହିଛନ୍ତି ଯେ, ନର୍ସ ନିଯୁକ୍ତି କେଳେଙ୍କାରୀରେ ଜଣେ ଦଲାଲଙ୍କୁ ଗିରଫ କରାଯିବା ସ୍ୱାଗତଯୋଗ୍ୟ ପଦକ୍ଷେପ, କିନ୍ତୁ କେବଳ ଦଲାଲଙ୍କୁ ଗିରଫ କରିଦେଲେ ଘଟଣାର ପର୍ଦ୍ଦାଫାଶ ହୋଇଯିବ ନାହିଁ। ଏହି କେଳେଙ୍କାରୀ ପଛରେ ଯେଉଁ ସମସ୍ତ ପ୍ରଭାବଶାଳୀ ବ୍ୟକ୍ତି, ଅଧିକାରୀ କିମ୍ବା ସଂଗଠିତ ଚକ୍ର ସଂପୃକ୍ତ ଅଛନ୍ତି, ସେମାନଙ୍କ ବିରୋଧରେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ।

ସେ ଦାବି କରିଛନ୍ତି ଯେ, ସମଗ୍ର ଘଟଣାର ନିରପେକ୍ଷ ଓ ସ୍ୱଚ୍ଛ ତଦନ୍ତ କରାଯାଇ ପ୍ରକୃତ ଦୋଷୀଙ୍କୁ ଆଇନ ଅନୁଯାୟୀ ଦଣ୍ଡିତ କରାଯାଉ। ଯେଉଁ ଯୋଗ୍ୟ ପ୍ରାର୍ଥୀମାନେ ନିଯୁକ୍ତି ପ୍ରକ୍ରିୟାରେ କ୍ଷତିଗ୍ରସ୍ତ ହୋଇଛନ୍ତି, ସେମାନଙ୍କୁ ନ୍ୟାୟ ମିଳିବା ସହ ଭବିଷ୍ୟତରେ ଏଭଳି ଦୁର୍ନୀତି ରୋକିବା ପାଇଁ ସରକାର ଦୃଢ଼ ପଦକ୍ଷେପ ନେବାକୁ ସେ ଆହ୍ୱାନ କରିଛନ୍ତି।