ନୂଆପଡାରେ ସଡକ ସୁରକ୍ଷା ବଡ଼ ପଦକ୍ଷେପ:୧୦ଟି ‘ହେଲମେଟ୍ ହବ୍’ଉଦଘାଟିତ

ନୂଆପଡାରେ ‘ହେଲମେଟ୍ ହବ୍’ ଉଦଘାଟିତ।ସଡକ ସୁରକ୍ଷାକୁ ସୁଦୃଢ଼ କରିବା ସହ, ଦୁର୍ଘଟଣାଜନିତ ମୃତ୍ୟୁ ଓ ଆହତ ସଂଖ୍ୟା କମାଇବା ଲକ୍ଷ୍ୟରେ ନୂଆପଡା ଜିଲ୍ଲା ପ୍ରଶାସନର ବଡ଼ ପଦକ୍ଷେପ। ଜିଲ୍ଲା ସଡକ ସୁରକ୍ଷା ସମିତି ଦ୍ୱାରା ଆଜି ଜିଲ୍ଲାର ୧୦ଗୋଟି ପ୍ରମୁଖ ସ୍ଥାନରେ “ହେଲମେଟ୍ ହବ୍” ଉଦଘାଟନ କରାଯାଇଛି।ଏହା ମାଧ୍ୟମରେ ଜିଲ୍ଲାକୁ ଶତ ପ୍ରତିଶତ ହେଲମେଟ୍ ବ୍ୟବହାରକାରୀ ଜିଲ୍ଲାରେ ପରିଣତ କରିବାକୁ ପ୍ରଶାସନ ଲକ୍ଷ୍ୟ ରଖିଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମଧୁସୂଦନ ଦାଶ, ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ, ସିଡିଓ ଲମ୍ବୋଦର ଧରୁଆ ସହ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିଥିଲେ। ସମସ୍ତଙ୍କ ଉପସ୍ଥିତିରେ ଏହି ବିଶାଳ ସଚେତନତାମୂଳକ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଥିଲା।

ପ୍ରଶାସନର କହିବା ଅନୁଯାୟୀ, ଅନେକ ସମୟରେ ହେଲମେଟ୍ ବ୍ୟବହାର ନ କରିବାରୁ ସଡକ ଦୁର୍ଘଟଣାରେ ଗୁରୁତର ଆହତ ଓ ମୃତ୍ୟୁ ଘଟୁଛି। ଏହାକୁ ଦୃଷ୍ଟିରେ ରଖି ଲୋକମାନଙ୍କ ମଧ୍ୟରେ ହେଲମେଟ୍ ପ୍ରୟୋଗ ପ୍ରତି ସଚେତନତା ବଢ଼ାଇବା ଏବଂ ସହଜରେ ହେଲମେଟ୍ ଉପଲବ୍ଧ କରାଇବା ପାଇଁ “ହେଲମେଟ୍ ହବ୍” ଆରମ୍ଭ କରାଯାଇଛି। ଏହି ହବ୍‌ଗୁଡ଼ିକରେ ସୁରକ୍ଷିତ ଓ ଗୁଣସ୍ତରୀୟ ହେଲମେଟ୍ ସହଜ ମୂଲ୍ୟରେ ମିଳିବା ବ୍ୟବସ୍ଥା କରାଯାଇଛି।

ଏହି ଅବସରରେ ଜିଲ୍ଲାପାଳ ମଧୁସୂଦନ ଦାଶ କହିଥିଲେ ଯେ, “ସଡକ ସୁରକ୍ଷା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ, ପ୍ରତ୍ୟେକ ନାଗରିକଙ୍କ ମଧ୍ୟ ଦାୟିତ୍ୱ। ହେଲମେଟ୍ ଜୀବନ ବଞ୍ଚାଇଥାଏ। ସମସ୍ତଙ୍କ ସହଯୋଗ ଓ ସଚେତନତା ମାଧ୍ୟମରେ ଆମେ ନୂଆପଡାକୁ ୧୦୦% ହେଲମେଟ୍ ବ୍ୟବହାରକାରୀ ଜିଲ୍ଲାରେ ପରିଣତ କରିପାରିବୁ। ସେ ଆହୁରି କହିଥିଲେ ଯେ, କେବଳ ଜରିମାନା କିମ୍ବା ନିୟମ କଡାକଡି କରିବା ନୁହେଁ, ବରଂ ଲୋକମାନଙ୍କ ମନୋଭାବରେ ପରିବର୍ତ୍ତନ ଆଣିବା ହିଁ ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ। ଏହି ପଦକ୍ଷେପ ମାଧ୍ୟମରେ ବିଶେଷକରି ଯୁବପିଢିଙ୍କୁ ସଡକ ସୁରକ୍ଷା ନିୟମ ମାନିବା ପାଇଁ ପ୍ରେରିତ କରାଯିବ।

ଜିଲ୍ଲା ପ୍ରଶାସନର ଏହି ଉଦ୍ୟମକୁ ସାଧାରଣ ଲୋକମାନେ ସ୍ୱାଗତ କରିଛନ୍ତି। ଅନେକଙ୍କ ମତରେ, ଯଦି ଏପରି ସଚେତନତା ଅଭିଯାନ ନିୟମିତ ଚାଲିଥାଏ,ତେବେ ସଡକ ଦୁର୍ଘଟଣା ଅନେକ ହାରେ କମିପାରିବ। ସମସ୍ତଙ୍କ ସହଯୋଗ, ସଚେତନତା ଓ ଦାୟିତ୍ୱବୋଧ ମାଧ୍ୟମରେ “ସୁରକ୍ଷିତ ନୂଆପଡା” ଗଠନରେ ଏହି “ହେଲମେଟ୍ ହବ୍” ଉଦ୍ୟମ ଏକ ମାଇଲସ୍ଟୋନ୍ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି।