ଉତ୍ତର କୋରିଆର ଶକ୍ତି ପ୍ରଦର୍ଶନ: ୨୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ କ୍ଲଷ୍ଟର ବୋମା ପରୀକ୍ଷଣ

ବିଶ୍ୱ ରାଜନୀତିରେ ବିଶେଷ କରି ଇରାନ ଏବଂ ଆମେରିକା ମଧ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ ଉତ୍ତର କୋରିଆ ନିଜର ସାମରିକ ଶକ୍ତି ପ୍ରଦର୍ଶନକୁ ତୀବ୍ର କରିଛି। ଗତ ଦୁଇ ଦିନ ଧରି କିମ୍ ଜୋଙ୍ଗ ଉନ୍‌ଙ୍କ ପ୍ରଶାସନ ଲଗାତାର ବିପଦପୂର୍ଣ୍ଣ ବାଲିଷ୍ଟିକ୍ ଏବଂ କ୍ଲଷ୍ଟର କ୍ଷେପଣାସ୍ତ୍ର ପରୀକ୍ଷଣ କରି ସାରା ବିଶ୍ୱକୁ ଚକିତ କରିଛି। ରବିବାର ପୂର୍ବ ଉପକୂଳରୁ ଏକାଧିକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିବା ପରେ, ସୋମବାର ପୁଣି ଥରେ କ୍ଲଷ୍ଟର ବୋମା ଯୁଦ୍ଧାସ୍ତ୍ର ସହିତ କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇଛି। କିମ୍ ଜୋଙ୍ଗ ଉନ୍ ନିଜେ ୫ଟି ଉନ୍ନତ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଉଥିବା

କ୍ଷେପଣାସ୍ତ୍ରର ପରୀକ୍ଷଣ ତଦାରଖ କରିଥିଲେ। ଏଥିରେ କ୍ଲଷ୍ଟର ବମ୍ ଏବଂ ଫ୍ରାଗମେଣ୍ଟେସନ୍ ମାଇନ୍ ଭଳି ବିଧ୍ୱଂସକାରୀ ଅସ୍ତ୍ର ବ୍ୟବହାର କରାଯାଇଛି। ଏହି କ୍ଲଷ୍ଟର ବୋମା ପ୍ରାୟ ୬.୫ ରୁ ୭ ହେକ୍ଟର ଅଞ୍ଚଳକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବାର କ୍ଷମତା ରଖୁଛି। ଏହି ସାମରିକ ଅଭ୍ୟାସ ସମୟରେ କିମ୍ ଜୋଙ୍ଗ ଉନ୍‌ଙ୍କ ସହ ତାଙ୍କ ଝିଅ କିମ୍ ଜୁ ଏ ମଧ୍ୟ ଉପସ୍ଥିତ ଥିଲେ। କଳା ଚମଡ଼ା ଜ୍ୟାକେଟ୍ ପିନ୍ଧିଥିବା ପିତା-ପୁତ୍ରୀଙ୍କ ଏହି ଫଟୋ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଦକ୍ଷିଣ କୋରିଆ ଗୁପ୍ତଚର ସଂସ୍ଥା ଅନୁଯାୟୀ, କିମ୍ ନିଜ ଝିଅକୁ ନିଜର ଉତ୍ତରାଧିକାରୀ ଭାବେ ପ୍ରସ୍ତୁତ କରୁଥିବାର ଏହା ଏକ ସ୍ପଷ୍ଟ ସଙ୍କେତ। ବିଶେଷଜ୍ଞଙ୍କ ମତରେ, ଇରାନ-ଇସ୍ରାଏଲ୍ ସଂଘର୍ଷରେ କ୍ଲଷ୍ଟର ଯୁଦ୍ଧାସ୍ତ୍ରର ପ୍ରଭାବ ଦେଖିବା ପରେ ଉତ୍ତର କୋରିଆ ନିଜର ଅସ୍ତ୍ରଶସ୍ତ୍ରକୁ ଆଧୁନିକ କରିବା ପାଇଁ ପ୍ରୟାସ ତେଜ୍ କରିଛି। ଇରାନ ଯେଭଳି ଭାବେ କ୍ଲଷ୍ଟର ବୋମା ବ୍ୟବହାର କରି ଇସ୍ରାଏଲର ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଚ୍ୟାଲେଞ୍ଜ କଲା, ତାହା କିମ୍ ଜୋଙ୍ଗ ଉନ୍‌ଙ୍କୁ ଉତ୍ସାହିତ କରିଛି। ଉତ୍ତର କୋରିଆର ଏହି ଉତ୍‌କ୍ଷେପଣକୁ ଦକ୍ଷିଣ କୋରିଆ, ଜାପାନ ଏବଂ ଆମେରିକା ପକ୍ଷରୁ ତୀକ୍ଷ୍ଣ ନଜର ରଖାଯାଇଛି। ମଧ୍ୟପ୍ରାଚ୍ୟରେ ଯୁଦ୍ଧବିରତି ଭଙ୍ଗ ହେବା ଭୟ ମଧ୍ୟରେ ଏହି ପରୀକ୍ଷଣ ଏସିଆ ଅଞ୍ଚଳରେ ଏକ ନୂତନ ସାମରିକ ପ୍ରତିଯୋଗିତା ଆରମ୍ଭ କରିପାରେ।