ଆଜି ଅର୍ଥାତ୍ ଅକ୍ଟୋବର ୧୦ ତାରିଖରେ ସିଜେପି ପକ୍ଷରୁ ପ୍ରସ୍ତାବିତ ବିକ୍ଷୋଭକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ସମ୍ପୂର୍ଣ୍ଣ ସଜାଗ ହୋଇଉଠିଛି। ପୂର୍ବ ଅନୁଭୂତିରୁ ଶିକ୍ଷା ନେଇ ଏଥର ବିକ୍ଷୋଭ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରିଛି ଦିଲ୍ଲୀ ପୋଲିସ। ଗୋଟିଏ ପଟେ ଏନ୍ଡିଏମ୍ସି ଅଞ୍ଚଳକୁ ଅଭେଦ୍ୟ ଦୁର୍ଗରେ ପରିଣତ କରାଯାଇଥିବା ବେଳେ ଅନ୍ୟପଟେ ରାଜଧାନୀର ସମସ୍ତ ସୀମାରେ କଡ଼ା ପହରା ଦିଆଯାଇଛି। ଦିଲ୍ଲୀକୁ ଆସୁଥିବା ଏବଂ ଦିଲ୍ଲୀରୁ ଯାଉଥିବା ୧୫୦ରୁ ଅଧିକ ଟ୍ରେନ୍ ବାତିଲ କରାଯାଇଥିବା ବେଳେ ଦିଲ୍ଲୀ ମେଟ୍ରୋର ୪୫ଟି ଷ୍ଟେସନ୍କୁ ମଧ୍ୟ ବନ୍ଦ କରିଦିଆଯାଇଛି। ଏହାସହ ରାଜଧାନୀର ବିଭିନ୍ନ ରାସ୍ତା ଓ ସୀମାନ୍ତ ଅଞ୍ଚଳରେ କଡ଼ା ନଜର ରଖିଛି ପୋଲିସ। ଦିଲ୍ଲୀ ପୋଲିସ ଧ୍ରୁବ ରାଠୀଙ୍କୁ ଗୁରୁଗ୍ରାମସ୍ଥିତ ବାସଭବନରୁ ଉଠାଇ ନେଇଥିବା ସୂଚନା ମିଳିଛି। ସିଜେପିର ବିକ୍ଷୋଭରେ ସାମିଲ ହେବାକୁ ଥିବା ଧ୍ରୁବ ରାଠୀଙ୍କୁ ସକାଳୁ ଦିଲ୍ଲୀ ପୋଲିସ ହେପାଜତକୁ ନେଇଥିବା କୁହାଯାଉଛି। ସୂଚନା ଅନୁଯାୟୀ, ଧ୍ରୁବଙ୍କ ମାଆ ଘରର କବାଟ ଖୋଲିବା ପରେ ପୋଲିସ ଘର ଭିତରକୁ ପ୍ରବେଶ କରିଥିଲା। ଏହାପରେ ଗୁରୁଗ୍ରାମର ସେକ୍ଟର-୫୬ସ୍ଥିତ ବାସଭବନରୁ ଧ୍ରୁବଙ୍କୁ ହେପାଜତକୁ ନେଇଥିଲା ପୋଲିସ। ତାଙ୍କ ପରିବାର ସେଣ୍ଟ୍ରାଲ ପାର୍କ ବିହାରରେ ରହୁଥିବା କୁହାଯାଉଛି। ଗତକାଲି ବିଳମ୍ବିତ ରାତିରେ ତାଙ୍କ ବାସଭବନ ବାହାରେ ପ୍ରାୟ ୫୦ ଜଣ ପୋଲିସ କର୍ମଚାରୀ ଏକାଠି ହୋଇଥିବା ସୂଚନା ମଧ୍ୟ ମିଳିଛି।