କାଠଯୋଡ଼ି ନଦୀ ପଠାରୁ ଉଦ୍ଧାର ହୋଇଥିବା ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ଘଟଣାରେ ଆସିଛି ନୂଆ ମୋଡ଼। ପ୍ରଥମେ ଏହାକୁ ଏକ ଅସ୍ୱାଭାବିକ ମୃତ୍ୟୁ ଭାବେ ଦେଖାଯାଉଥିବା ବେଳେ ବର୍ତ୍ତମାନ ପରିବାର ଲୋକେ ଏହାକୁ ଯୋଜନାବଦ୍ଧ ହତ୍ୟା ବୋଲି ଅଭିଯୋଗ କରିଛନ୍ତି।

ବାଲେଶ୍ୱର ଫକୀର ମୋହନ ମେଡିକାଲ କଲେଜର ଏମବିବିଏସ୍ ଶେଷ ବର୍ଷର ଛାତ୍ରୀ ଚନ୍ଦ୍ରିକାଙ୍କ ମୃତଦେହ ଗତକାଲି କାଠଯୋଡ଼ି ପୋଲ ତଳୁ ଉଦ୍ଧାର କରାଯାଇଥିଲା। ପ୍ରଥମେ ପରିଚୟ ମିଳିନଥିଲେ ମଧ୍ୟ ପରେ ସେ ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ରାଇଦାଣ୍ଡିଆ ଗ୍ରାମର ବୋଲି ଜଣାପଡ଼ିଥିଲା। ବାରଙ୍ଗ ପୋଲିସ ପରିବାରକୁ ସୂଚନା ଦେବା ପରେ ସେମାନେ କଟକ ଏସ୍ସିବି ମେଡିକାଲରେ ପହଞ୍ଚି ମୃତଦେହ ଚିହ୍ନଟ କରିଥିଲେ।ମୃତଦେହ ଦେଖିବା ପରେ ପରିବାର ଲୋକେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେମାନଙ୍କ କହିବା ଅନୁସାରେ, ଚନ୍ଦ୍ରିକା ଓ ଭୀମସେନ ପ୍ରସାଦ ଟୁଡୁ ନବୋଦୟ ବିଦ୍ୟାଳୟରେ ପଢ଼ୁଥିବା ସମୟରୁ ପ୍ରେମ ସମ୍ପର୍କରେ ଥିଲେ ଏବଂ ଦୀର୍ଘ ବର୍ଷ ଧରି ଏହି ସମ୍ପର୍କ ଚାଲିଆସୁଥିଲା। ଉଭୟ ୨୦୨୭ ମସିହାରେ ବିବାହ କରିବେ ବୋଲି ମଧ୍ୟ ପ୍ରତିଶ୍ରୁତି ଥିଲା।ହେଲେ ମଧ୍ୟରେ ସ୍ୱାତି ନାମକ ଜଣେ ଯୁବତୀ ଆସିବା ପରେ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ପରିବାର ଦାବି କରିଛି। ଏହାପରେ ଭୀମସେନ ଚନ୍ଦ୍ରିକାଙ୍କୁ ମାନସିକ ଭାବେ ନିର୍ଯାତନା ଦେଉଥିବା ଅଭିଯୋଗ ମଧ୍ୟ ଉଠିଛି। ଚନ୍ଦ୍ରିକାଙ୍କ ବାପା ଓ ସାନ ଭାଇଙ୍କ ଅଭିଯୋଗ ଅନୁଯାୟୀ, ଭୀମସେନ ଓ ସ୍ୱାତି ମିଳିତ ଭାବେ ତାଙ୍କୁ ହତ୍ୟା କରି କାଠଯୋଡ଼ି ନଦୀ ପଠାରେ ଫିଙ୍ଗି ଦେଇଛନ୍ତି।
ଏହି ଘଟଣା ପରେ ରାଇଦାଣ୍ଡିଆ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ଚନ୍ଦ୍ରିକାଙ୍କ ମୃତଦେହ ଘରେ ପହଞ୍ଚିବା ପରେ ଆଦିବାସୀ ରୀତିନୀତି ଅନୁସାରେ ଅନ୍ତିମ ସଂସ୍କାର କରାଯାଇଥିଲା। ଏହି ସମୟରେ ଗ୍ରାମବାସୀ ଏବଂ ତାଙ୍କ ଡାକ୍ତରୀ ସହପାଠୀମାନେ ଉପସ୍ଥିତ ରହି ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।ପରିବାର ପକ୍ଷରୁ ବାରଙ୍ଗ ଥାନାରେ ହତ୍ୟା ଅଭିଯୋଗ ଦାଖଲ କରାଯାଇଛି। ବର୍ତ୍ତମାନ ପୋଲିସ କେଉଁ ଦିଗରେ ତଦନ୍ତ ଆଗେଇ ନେଉଛି ଏବଂ ଘଟଣାର ପ୍ରକୃତ ସତ୍ୟ କଣ, ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ଚନ୍ଦ୍ରିକାଙ୍କ ପରିବାର ନ୍ୟାୟ ଦାବି କରୁଥିବା ବେଳେ ଏବେ ସମସ୍ତଙ୍କ ନଜର ପୋଲିସ ତଦନ୍ତ ଉପରେ ରହିଛି।