ମିର୍ଜାପୁରରେ ବିକାଶର ନୂଆ ଅଧ୍ୟାୟ, ଶୁଭାରମ୍ଭ ହେଲା ରାସ୍ତା ନିର୍ମାଣ କାମ

ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକର ମିର୍ଜାପୁର ଅଞ୍ଚଳର ବହୁ ଦିନର ଦାବି ପୂରଣ ହେବାକୁ ଯାଉଛି। ସଦାନନ୍ଦପୁର ଦୁଧେଇ ନଳା ଠାରୁ ଚନ୍ଦନ ସ୍ପୋର୍ଟିଂ କ୍ଲବ୍ ପର୍ଯ୍ୟନ୍ତ ନୂତନ ରାସ୍ତା ନିର୍ମାଣ ପାଇଁ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ପ୍ରାୟ ୩ କୋଟି ୪୮ ଲକ୍ଷ ଟଙ୍କା ବ୍ୟୟରେ ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତା ପ୍ରକଳ୍ପ କାର୍ଯ୍ୟକାରୀ ହେବ।

ମିର୍ଜାପୁର ରାବଣ ପୋଡ଼ି ପଡ଼ିଆରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ହିମାଂଶୁ ଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାସ୍ତା କାମର ଶୁଭାରମ୍ଭ କରିଥିଲେ। ବିଧିବଦ୍ଧ ପୂଜାର୍ଚ୍ଚନା ଓ ଭିତ୍ତିପ୍ରସ୍ତର ସ୍ଥାପନ ପରେ ସେ ଉପସ୍ଥିତ ଲୋକଙ୍କୁ ସମ୍ବୋଧନ କରି କହିଥିଲେ ଯେ, ଏହି ରାସ୍ତା ନିର୍ମାଣ ହେଲେ ଅଞ୍ଚଳର ଯୋଗାଯୋଗ ବ୍ୟବସ୍ଥାରେ ଆମୂଳଚୂଳ ପରିବର୍ତ୍ତନ ଆସିବ। ବିଶେଷ କରି ଗ୍ରାମାଞ୍ଚଳର ଲୋକମାନେ ଦୈନନ୍ଦିନ ଯାତାୟାତ, ଶିକ୍ଷା, ସ୍ୱାସ୍ଥ୍ୟ ଓ ବ୍ୟବସାୟିକ କାର୍ଯ୍ୟ ପାଇଁ ଅଧିକ ସୁବିଧା ପାଇବେ।

ଦୀର୍ଘ ଦିନ ଧରି ଏହି ରାସ୍ତାର ଉନ୍ନତିକରଣ ପାଇଁ ସ୍ଥାନୀୟ ଲୋକମାନେ ଦାବି କରୁଥିଲେ। ରାସ୍ତାଟି ନିର୍ମାଣ ହେବା ଫଳରେ ସଦାନନ୍ଦପୁର, ମିର୍ଜାପୁର ସମେତ ଆଖପାଖ ଅଞ୍ଚଳର ହଜାର ହଜାର ଲୋକ ସିଧାସଳଖ ଉପକୃତ ହେବେ ବୋଲି ଆଶା କରାଯାଉଛି।ଏହି ଅବସରରେ ବହୁ ସଂଖ୍ୟାରେ ସ୍ଥାନୀୟ ଜନପ୍ରତିନିଧି, ସାମାଜିକ କର୍ମୀ ଓ ଅଞ୍ଚଳବାସୀ ଉପସ୍ଥିତ ରହିଥିଲେ। ରାସ୍ତା ପ୍ରକଳ୍ପ ଶୀଘ୍ର ସମ୍ପୂର୍ଣ୍ଣ ହୋଇ ଲୋକଙ୍କ ସେବାରେ ଉତ୍ସର୍ଗ ହେବ ବୋଲି ସମସ୍ତେ ଆଶା ପ୍ରକାଶ କରିଥିଲେ।