ବିଜୁ ଶ୍ରମିକ ସାମ୍ମୁଖ୍ୟରେ ପାଖାପାଖି ୨ କୋଟି ଶ୍ରମିକଙ୍କୁ ସାମିଲ କରାଯିବ ।

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରମିକ ମାନଙ୍କ ଉନ୍ନତି ପାଇଁ ସବୁବେଳେ ପ୍ରାଧାନ୍ୟ ଦେଉଥିଲେ। ଶ୍ରମ ବିଭାଗ ଶ୍ରମିକ ମାନଙ୍କ ସ୍ୱାର୍ଥ ପାଇଁ କାମ କରୁଥିଲା | ଏବଂ ବିଜୁ ଶ୍ରମିକ ସାମ୍ମୁଖ୍ୟ ଜରିଆରେ ତୃଣମୂଳ ସ୍ତରରେ ଶ୍ରମିକଙ୍କୁ ଏକାଠି ଓ ସଂଗଠିତ କରି ପୁଞ୍ଜିପତି ମାନଙ୍କର ଏକଛତ୍ରବାଦକୁ ପ୍ରତିହତ କରିବାରେ ସକ୍ଷମ ହେଉଥିଲା। ହେଲେ ତାହା ଏକ ଯୁଗ ଥିଲା, ବର୍ତ୍ତମାନ ଅଢ଼େଇ ବର୍ଷରେ ଶ୍ରମ ବିଭାଗ ଅଛି କି ନାହିଁ ତାହା ଜଣା ପଡୁନାହିଁ। ପାରାଦ୍ଵୀପ ବିଶ୍ଵକର୍ମା ପୂଜା ଅବସରରେ ବିଜୁ ଶ୍ରମିକ ସାମ୍ମୁଖ୍ୟର ମହାସଚିବ ତଥା ଏରସମା-ପାରାଦ୍ବୀପ ଇଣ୍ଡଷ୍ଟ୍ରିଆଲ ଶ୍ରମିକ ସଂଘର ସଭାପତି ଅରିନ୍ଦମ ସାର୍ଖେଲଙ୍କ ଦ୍ଵାରା ଆୟୋଜିତ ପୂଜାରେ ଯୋଗଦେବା ଅବସରରେ ଏଭଳି ପ୍ରକାଶ କରିଛନ୍ତି କଟକ ମେୟର ତଥା ବିଜୁ ଶ୍ରମିକ ସାମ୍ମୁଖ୍ୟର ରାଜ୍ୟ ସଭାପତି ସୁବାସ ସିଂ।
ଓଡ଼ିଶାରେ ସବୁଠାରୁ ବୃହତ୍ ଶିଳ୍ପାଞ୍ଚଳ ହେଉଛି ପାରାଦ୍ଵୀପ, ମାତ୍ର ଏଠାରେ ଶ୍ରମିକ ଶୋଷଣ ଏବେ ଚରମ ସୀମାରେ ପହଞ୍ଚିଛି। ସବୁ କ୍ଷେତ୍ରରେ ରାଜନୈତିକ ହସ୍ତକ୍ଷେପ ହିଁ ଶ୍ରମିକ ମାନଙ୍କ ସ୍ୱାର୍ଥ ହାନିର କାରଣ ହେଉଛି। ଖୁବ୍ ଶୀଘ୍ର ବିଜୁ ଶ୍ରମିକ ସାମ୍ମୁଖ୍ୟ ରେ ପାଖାପାଖି ୨ କୋଟି ଶ୍ରମିକଙ୍କୁ ସାମିଲ କରାଯିବ ଏବଂ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ଶ୍ରୀଯୁକ୍ତ ସିଂ ପ୍ରକାଶ କରିଛନ୍ତି।

ଏରସମା-ପାରାଦ୍ବୀପ ଇଣ୍ଡଷ୍ଟ୍ରିଆଲ ଶ୍ରମିକ ସଂଘ ପକ୍ଷରୁ ଆୟୋଜିତ ବିଶାଳ କଳସ ଯାତ୍ରା ରେ ସୁବାସ ସିଂ, ବିଜେଡି ନେତା ମନ୍ମଥ ରାଉତରାୟ ଯୋଗ ଦେଇ ବିଶ୍ଵକର୍ମାଙ୍କ ଆଶିର୍ବାଦ ଗ୍ରହଣ କରିଥିଲେ। କଳସ ଯାତ୍ରା ଶ୍ରମିକ ସଂଘ କାର୍ଯ୍ୟାଳୟ ରୁ ବାହାରି ସମୁଦ୍ର କୂଳରେ ପହଞ୍ଚିବା ପରେ ପୂଜା ଅର୍ଚ୍ଚନା କରାଯାଇ ପାଣି ଉଠାଯାଇଥିଲା। ପରେ ସଂଘ ପରିସରରେ ପୂଜା ନିତି ଆରମ୍ଭ ହୋଇଛି।