ବଙ୍ଗୋପସାଗରରେ ବଡ଼ କାର୍ଯ୍ୟାନୁଷ୍ଠାନ: ଜବତ ହେଲା ଦୁଇ ମାଛଧରା ଡଙ୍ଗା ସମେତ ୭୧୦ ବସ୍ତା ଚୋରା ଗୁଆ

ବଙ୍ଗୋପସାଗରରେ ବେଆଇନ କାର୍ଯ୍ୟକଳାପ ଉପରେ ଭାରତୀୟ ତଟରକ୍ଷୀ ବାହିନୀର କଢ଼ା ନଜର ଜାରି ରହିଛି। ଏହି ପରିପ୍ରେକ୍ଷୀରେ, ପେଟ୍ରୋଲିଂ ସମୟରେ ଦୁଇଟି ସନ୍ଦିଗ୍ଧ ଭାରତୀୟ ମାଛ ଧରା ଡଙ୍ଗାକୁ ଗିରଫ କରାଯାଇଛି। ସୂଚନା ଅନୁସାରେ, ‘ମା’ ଆୟେଶା-୧’ ଓ ‘ମା’ ଆୟେଶା-୨’ ନାମକ ଏହି ଡଙ୍ଗାଗୁଡ଼ିକ ସନ୍ଦିଗ୍ଧ ଭାବେ ସମୁଦ୍ରରେ ଚଳଚଳ କରୁଥିବା ବେଳେ ତଟରକ୍ଷୀ ଜାହାଜର ନଜରକୁ ଆସିବା ପରେ ସଙ୍ଗେ ସଙ୍ଗେ ଚଢ଼ାଉ କରାଯାଇଥିଲା।ଡଙ୍ଗା ଭିତରୁ ମୋଟ ୭୧୦ ବସ୍ତା ଚୋରା ଗୁଆ ଜବତ କରାଯାଇଛି, ଯାହା ବେଆଇନ ବାଣିଜ୍ୟ ସହ ଜଡିତ ଥିବା ସନ୍ଦେହ କରାଯାଉଛି।

📍 କେଉଁଠୁ ଆସିଥିଲେ ଡଙ୍ଗା?
ତେବେ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଏହି ଡଙ୍ଗାଗୁଡ଼ିକ ପଶ୍ଚିମବଙ୍ଗର ଏବଂ ସେଗୁଡ଼ିକ ପଞ୍ଜିକୃତ ନୁହେଁ। କୌଣସି ବୈଧ କାଗଜପତ୍ର ବିନା ଏମିତି ସମୁଦ୍ରରେ ଚଳଚଳ କରୁଥିବା ଘଟଣା ଗୁରୁତର ଅପରାଧ ଭାବେ ଦେଖାଯାଉଛି। ଜବତ ହୋଇଥିବା ଡଙ୍ଗା ଓ ସମସ୍ତ କର୍ମଚାରୀଙ୍କୁ ଅଧିକ ତଦନ୍ତ ପାଇଁ କସାଫଳ ମାଛଧରା ବନ୍ଦରକୁ ଆଣାଯାଇଛି। ପରେ ଏହାକୁ ଓଡ଼ିଶାର କସାଫଳ ସାମୁଦ୍ରିକ ପୋଲିସ ଷ୍ଟେସନକୁ ହସ୍ତାନ୍ତର କରାଯାଇଛି।

ପ୍ରେସ ବିଜ୍ଞପ୍ତିରେ ତଟରକ୍ଷୀ ବାହିନୀ କହିଛି ଯେ, ସମୁଦ୍ରରେ ଚୋରାଚାମାରି ଓ ବେଆଇନ କାର୍ଯ୍ୟକଳାପକୁ ରୋକିବା, ଚିହ୍ନଟ କରିବା ଏବଂ ବାଧା ଦେବା ପାଇଁ ସେମାନେ ସଦା ସତର୍କ ଅଛନ୍ତି।ଏହି ଘଟଣା ସମୁଦ୍ର ମାର୍ଗରେ ଚାଲୁଥିବା ଚୋରା ବାଣିଜ୍ୟ ଉପରେ ଆଉଥରେ ପ୍ରଶ୍ନ ଉଠାଇଛି।