ପଦ୍ମପୁରରେ ଆୟୋଜିତ ପଞ୍ଚମ ଶୀତଳ ଷଷ୍ଠୀ ଯାତ୍ରାର ପଞ୍ଚମ ଦିବସ ଭକ୍ତି, ଆଧ୍ୟାତ୍ମିକତା ଓ ସାଂସ୍କୃତିକ ଐତିହ୍ୟର ଅପୂର୍ବ ସମନ୍ୱୟରେ ଅନୁଷ୍ଠିତ ହୋଇଥିଲା। ବୈଦିକ ରୀତିନୀତି ଅନୁଯାୟୀ ଗଣ୍ଠିଆଳ ଫିଟା କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିବା ବେଳେ ରାତ୍ରରେ ବରାନୁଗମନ ସହ ଦିବସର ମୁଖ୍ୟ ଆଚାର-ଅନୁଷ୍ଠାନ ସମାପନ ହୋଇଥିଲା।ଶୀତଳ ଷଷ୍ଠୀ ମହୋତ୍ସବରେ ଜଗତ ଜନନୀ ମା’ ପାର୍ବତୀଙ୍କୁ କନ୍ୟା ରୂପେ ପାଇବାର ସୌଭାଗ୍ୟ ଲାଭ କରିଥିଲେ ଶ୍ରୀଯୁକ୍ତ ଅଜିତ କୁମାର ପାତ୍ର ଓ ଶ୍ରୀମତୀ ରଜନୀ ପାତ୍ର। ସେହିପରି ଭଗବାନ ଶିବଙ୍କ ବରପକ୍ଷ ପିତାମାତା ଭାବେ ସର୍ଗିବାହାଲ ନିବାସୀ ଶ୍ରୀଯୁକ୍ତ ପବିତ୍ର ମେହେର ଓ ଶ୍ରୀମତୀ ସୀତା ମେହେର ଏହି ପବିତ୍ର ଦାୟିତ୍ୱ ନିର୍ବାହ କରି ସୌଭାଗ୍ୟ ଅର୍ଜନ କରିଥିଲେ। ପୂଜକ ଭାବେ ସୁବ୍ରତ ନିଷ୍ଠାର ସହିତ ସମସ୍ତ ଧାର୍ମିକ କାର୍ଯ୍ୟ ସମ୍ପାଦନ କରିଥିଲେ।
ସନ୍ଧ୍ୟାବେଳେ ଶିବ–ପାର୍ବତୀଙ୍କ ଯୁଗଳ ମୂର୍ତ୍ତିଙ୍କ ଆଳତୀ ଅନୁଷ୍ଠିତ ହୋଇଥିଲା। ଘଣ୍ଟ, ଶଙ୍ଖ ଓ ଡମ୍ବରୁର ନିନାଦରେ ପରିବେଶ ଭକ୍ତିମୟ ହୋଇଉଠିଥିଲା। ଆଳତୀ ପରେ ଯୁଗଳ ମୂର୍ତ୍ତିଙ୍କୁ ଭକ୍ତମାନଙ୍କ ଦର୍ଶନ ନିମନ୍ତେ ବିଶାଳ ନଗର ପରିକ୍ରମାରେ ନିଆଯାଇଥିଲା। ଏହି ଶୋଭାଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁ ଯୋଗଦେଇ ଧାର୍ମିକ ଉତ୍ସାହକୁ ଦ୍ୱିଗୁଣିତ କରିଥିଲେ।ନଗର ପରିକ୍ରମାର ମୁଖ୍ୟ ଆକର୍ଷଣ ଥିଲା ବିଭିନ୍ନ ଲୋକକଳା ଓ ସାଂସ୍କୃତିକ ଦଳଙ୍କ ଚିତ୍ତାକର୍ଷକ ପ୍ରଦର୍ଶନ। ଘଣ୍ଟ ବାଦ୍ୟ, କଲମି ନାଚ, ଅଘୋରୀ ବେଶ, କାଳୀ ନୃତ୍ୟ, ଆଞ୍ଚଳିକ ଲୋକନୃତ୍ୟ ସହ ଓଡ଼ିଶା ବାହାରୁ ଆସିଥିବା ବିଭିନ୍ନ ସାଂସ୍କୃତିକ ଦଳ ନିଜ ନିଜ କଳା ପ୍ରଦର୍ଶନ କରିଥିଲେ। ଏହା ସହିତ ଡିଜେ, ମେଲୋଡି, କିନ୍ନର ନୃତ୍ୟ, ମହାପ୍ରଭୁଙ୍କ ମେଢ଼ ଏବଂ ଅନ୍ୟାନ୍ୟ ଆକର୍ଷଣୀୟ ଝାଙ୍କି ଶୋଭାଯାତ୍ରାକୁ ଅଧିକ ମନୋମୁଗ୍ଧକର କରିଥିଲା। ଉପସ୍ଥିତ ଦର୍ଶକମାନେ ସମସ୍ତ କଳାକାର ଓ ଦଳଙ୍କ ପ୍ରଦର୍ଶନକୁ ଉଚ୍ଚ ପ୍ରଶଂସା କରିଥିଲେ।
ଏତେ ବଡ଼ ଜନସମାଗମ ମଧ୍ୟରେ ପଦ୍ମପୁର ପୋଲିସର ଭୂମିକା ମଧ୍ୟ ଅତ୍ୟନ୍ତ ପ୍ରଶଂସନୀୟ ରହିଥିଲା। ଟ୍ରାଫିକ ପରିଚାଳନା ଠାରୁ ଆରମ୍ଭ କରି ଜନସମାଗମ ନିୟନ୍ତ୍ରଣ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ପୋଲିସ କର୍ମଚାରୀମାନେ ସଫଳତାର ସହ କାର୍ଯ୍ୟ ନିର୍ବାହ କରିଥିଲେ। ଏହା ପାଇଁ ପଦ୍ମପୁର ଅଞ୍ଚଳବାସୀ ପୋଲିସ ପ୍ରଶାସନକୁ ଭୂୟସୀ ପ୍ରଶଂସା ଜଣାଇଛନ୍ତି।
ଶୀତଳ ଷଷ୍ଠୀ ମହୋତ୍ସବର ସଫଳ ଆୟୋଜନ ପଛରେ ରାମେଶ୍ୱର ମନ୍ଦିର ବଡ଼ବନ୍ଦ କମିଟିର ସଭାପତି, ସମ୍ପାଦକ, କୋଷାଧ୍ୟକ୍ଷ ଓ ସମସ୍ତ ସଦସ୍ୟଙ୍କ ଅବଦାନ ଅନସ୍ୱୀକାର୍ଯ୍ୟ। ପାଞ୍ଚ ଦିନ ଧରି ଚାଲିଥିବା ଏହି ବିଶାଳ ମହୋତ୍ସବକୁ ସୁଚାରୁ ଓ ଶୃଙ୍ଖଳିତ ଭାବେ ପରିଚାଳନା କରି ସେମାନେ ସମସ୍ତଙ୍କ ପ୍ରଶଂସାର ପାତ୍ର ହୋଇଛନ୍ତି। ବିନା କୌଣସି ବାଧାବିଘ୍ନରେ ସମଗ୍ର ଉତ୍ସବକୁ ସଫଳତାର ସହ ସମାପନ କରିବା ସେମାନଙ୍କ ପାଇଁ ଏକ ବଡ଼ ସଫଳତା ବୋଲି ମତ ପ୍ରକାଶ ପାଇଛି।ମହୋତ୍ସବ ଅବସରରେ କମିଟି ପକ୍ଷରୁ ଦୁଇ ଦିନ ଧରି ଅନ୍ନଭୋଗ ବ୍ୟବସ୍ଥା କରାଯାଇଥିଲା। ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ପ୍ରସାଦ ସେବନ କରି ଆଧ୍ୟାତ୍ମିକ ଆନନ୍ଦ ଲାଭ କରିଥିଲେ। ଏହା ଭକ୍ତମାନଙ୍କ ମଧ୍ୟରେ ସେବା ଓ ସମର୍ପଣର ଭାବନାକୁ ଅଧିକ ସୁଦୃଢ଼ କରିଥିଲା।
ଲୋକମାନଙ୍କ ମନୋରଞ୍ଜନ ପାଇଁ ତିନି ଦିନ ଧରି ରାଜଦରବାର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଶେଷ ରଜନୀରେ ଅଶୋକ ଛୁରିଆଙ୍କ କୃଷ୍ଣ ଗୁରୁ ଦଳ ନିଜର ଚମତ୍କାର ପ୍ରଦର୍ଶନ ମାଧ୍ୟମରେ ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଯୋଗାଇଥିଲେ। ସେମାନଙ୍କ କଳା ପ୍ରଦର୍ଶନ ଦର୍ଶକଙ୍କ ମନରେ ଦୀର୍ଘଦିନ ଧରି ସ୍ମୃତି ହୋଇ ରହିବ ବୋଲି ମତ ପ୍ରକାଶ ପାଇଥିଲା।
ଏହି ବର୍ଷର ଶୀତଳ ଷଷ୍ଠୀ ମହୋତ୍ସବର ସବୁଠାରୁ ବିଶେଷ ଆକର୍ଷଣ ଥିଲା କୁନି କୁନି ଶିଶୁମାନଙ୍କ ଫ୍ୟାଶନ ଶୋ। ପଦ୍ମପୁର ସହରର ନନ୍ହେଁ ନନ୍ହେଁ ପ୍ରତିଭାମାନେ ମଞ୍ଚରେ ନିଜର ଆତ୍ମବିଶ୍ୱାସ, ପ୍ରତିଭା ଓ ସୃଜନଶୀଳତାର ପରିଚୟ ଦେଇ ଉପସ୍ଥିତ ଦର୍ଶକମାନଙ୍କୁ ବିମୋହିତ କରିଥିଲେ। ଶିଶୁମାନଙ୍କ ଏହି ଅନନ୍ୟ ପ୍ରଦର୍ଶନ ଦର୍ଶକଙ୍କ ଠାରୁ ଭୂୟସୀ ପ୍ରଶଂସା ସାଉଁଟିଥିଲା।ଧାର୍ମିକ ଆସ୍ଥା, ସାଂସ୍କୃତିକ ପରମ୍ପରା, ସାମାଜିକ ସଦ୍ଭାବନା ଓ ଜନସହଭାଗିତାର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରି ପଦ୍ମପୁର ପଞ୍ଚମ ଶୀତଳ ଷଷ୍ଠୀ ଯାତ୍ରା ସଫଳତାର ସହ ସମାପନ ହୋଇଛି। ଏହି ମହୋତ୍ସବ କେବଳ ଏକ ଧାର୍ମିକ ଆୟୋଜନ ନୁହେଁ, ବରଂ ପଦ୍ମପୁର ଅଞ୍ଚଳର ସାଂସ୍କୃତିକ ଏକତା, ଭାଇଚାରା ଓ ଲୋକପରମ୍ପରାର ଏକ ଜୀବନ୍ତ ପ୍ରତିଛବି ଭାବେ ପରିଗଣିତ ହୋଇଛି।