ସମ୍ବଲପୁରରେ ଶିବ ବିବାହ ସମ୍ପନ୍ନ, ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ଭକ୍ତି ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଧୁମଧାମରେ ସମ୍ପନ୍ନ ହୋଇଛି ଶିବ ବିବାହ। ପାହାନ୍ତା ପ୍ରହରରୁ ବିବାହ ବେଦିରେ ଯୁଗଳ ଦର୍ଶନ ଦେଉଛନ୍ତି ଦେବ ଦମ୍ପତି ଭଗବାନ ଶିବ ଓ ମାତା ପାର୍ବତୀ। ସେମାନଙ୍କ ଦର୍ଶନ ପାଇଁ ବିଭିନ୍ନ ସ୍ଥାନରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି।ସମ୍ବଲପୁରର ବିଭିନ୍ନ ଶିବାଳୟରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଶିବ ବିବାହ ତଥା ଶୀତଳଷଷ୍ଠୀ ଯାତ୍ରା ଅନୁଷ୍ଠିତ ହୋଇଛି। ବର ବେଶରେ ସୁସଜ୍ଜିତ ଭଗବାନ ଶିବ ବିରାଟ ପଟୁଆର ସହ କନ୍ୟା ଘରକୁ ପହଞ୍ଚିଥିଲେ। ବେଦମନ୍ତ୍ର ଓ ବିଧିବିଧାନ ମଧ୍ୟରେ ମାତା ପାର୍ବତୀଙ୍କ ସହ ବିବାହ ସମ୍ପନ୍ନ ହେବା ପରେ ବ୍ରାହ୍ମ ମୁହୂର୍ତ୍ତରୁ ନବ ଦମ୍ପତି ବିବାହ ବେଦିରେ ଭକ୍ତମାନଙ୍କୁ ଯୁଗଳ ଦର୍ଶନ ଦେଉଛନ୍ତି।

ଏହି ଅବସରରେ କନ୍ୟାପକ୍ଷରେ ମଧ୍ୟ ଭାବବିହ୍ୱଳ ପରିବେଶ ଦେଖିବାକୁ ମିଳିଛି। କନ୍ୟାଦାନର ପୁଣ୍ୟ ଲାଭରେ ସେମାନେ ଖୁସି ଥିବାବେଳେ, ମାତା ପାର୍ବତୀଙ୍କ ବିଦାୟର ମୁହୂର୍ତ୍ତକୁ ନେଇ ଭାବୁକ ହୋଇପଡ଼ିଛନ୍ତି। ଶୀତଳଷଷ୍ଠୀ ଯାତ୍ରାକୁ ନେଇ ସମଗ୍ର ସହର ଉତ୍ସବମୁଖର ହୋଇଉଠିଛି ଏବଂ ଧାର୍ମିକ ଆସ୍ଥା ସହ ଏହି ପରମ୍ପରାର ମହିମାକୁ ଲୋକେ ଉତ୍ସାହର ସହ ପାଳନ କରୁଛନ୍ତି।