ନେତାନ୍ୟାହୁଙ୍କ ସହ ଆଲୋଚନା ପରେ ଇରାନକୁ ଟ୍ରମ୍ପଙ୍କ ଧମକ : “ଆଉ କିଛି ରହିବ ନାହିଁ”

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ କଡା ଚେତାବନୀ ଦେଇ ବିଶ୍ୱ ରାଜନୀତିରେ ଚର୍ଚ୍ଚାକୁ ତୀବ୍ର କରିଛନ୍ତି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ ଆଲୋଚନା ପରେ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ “ଟ୍ରୁଥ୍ ସୋସିଆଲ” ରେ ଏକ କଡା ବାର୍ତ୍ତା ପୋଷ୍ଟ କରି କହିଛନ୍ତି ଯେ, ଯଦି ଇରାନ ଆମେରିକା ପକ୍ଷରୁ ଦିଆଯାଇଥିବା ସଦ୍ୟତମ ଶାନ୍ତି ପ୍ରସ୍ତାବକୁ ଗ୍ରହଣ ନକରେ, ତେବେ “ଇରାନରେ ଆଉ କିଛି ରହିବ ନାହିଁ”। ଟ୍ରମ୍ପଙ୍କ ଏହି ବୟାନ ପରେ ମଧ୍ୟପ୍ରାଚ୍ୟର ପରିସ୍ଥିତି ଆହୁରି ଉତ୍ତେଜନାପୂର୍ଣ୍ଣ ହୋଇପଡିଛି। ସେ କହିଛନ୍ତି ଯେ, ଇରାନ ପାଇଁ ସମୟ ଘଣ୍ଟାର “ଟିକ୍ ଟିକ୍” ସହିତ ବିତୁଛି ଏବଂ ତେହେରାନକୁ ତୁରନ୍ତ ନିଷ୍ପତ୍ତି ନେବାକୁ ପଡିବ। ନଚେତ୍ ଦେଶ ଭୟାବହ ପରିଣାମ ଭୋଗିପାରେ।

ସୂଚନା ଅନୁଯାୟୀ, ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ଶାନ୍ତି ଆଲୋଚନାରେ ଉଭୟ ପକ୍ଷ ୫ଟି କରି ସର୍ତ୍ତ ରଖିଛନ୍ତି। ଆମେରିକା ଇରାନକୁ ପରମାଣୁ କାର୍ଯ୍ୟକ୍ରମ ଉପରେ କଡା ନିୟନ୍ତ୍ରଣ, ମିସାଇଲ ପରୀକ୍ଷଣ ବନ୍ଦ ଓ ମଧ୍ୟପ୍ରାଚ୍ୟରେ ସଶସ୍ତ୍ର ଗୋଷ୍ଠୀଙ୍କୁ ସମର୍ଥନ ନଦେବାକୁ ଚାହୁଁଛି। ଅନ୍ୟପଟେ ଇରାନ ଅର୍ଥନୈତିକ ପ୍ରତିବନ୍ଧକ ହଟାଇବା, ତେଲ ରପ୍ତାନିରେ ସ୍ୱାଧୀନତା ଏବଂ ସୁରକ୍ଷା ନିଶ୍ଚିତତା ଦାବି କରିଛି।

ଟ୍ରମ୍ପଙ୍କ ଏହି କଡା ବୟାନ ପରେ ଆନ୍ତର୍ଜାତୀୟ ମହଳରେ ଚିନ୍ତା ବଢ଼ିଛି। ବିଶେଷଜ୍ଞମାନେ ମନେ କରୁଛନ୍ତି ଯେ, ଯଦି ଆଲୋଚନା ବିଫଳ ହୁଏ, ତେବେ ମଧ୍ୟପ୍ରାଚ୍ୟରେ ବଡ଼ ସାମରିକ ସଂଘର୍ଷର ସମ୍ଭାବନା ଉଦ୍ଭବ ହୋଇପାରେ। ଏହାର ପ୍ରଭାବ କେବଳ ଇରାନ କିମ୍ବା ଆମେରିକା ନୁହେଁ, ସମଗ୍ର ବିଶ୍ୱ ଅର୍ଥନୀତି ଓ ତେଲ ବଜାର ଉପରେ ମଧ୍ୟ ପଡିପାରେ।