କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ନିକଟସ୍ଥ ପଣସବାଙ୍କ ଠାରେ ଆଜି ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଯାଇଛି। ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ଅଞ୍ଚଳରୁ ପ୍ରଚୁର ପରିମାଣର ପରିବା ବୋଝେଇ କରି ଏକ ମ୍ୟାକ୍ସ ପିକଅପ୍ ଗାଡ଼ି ବାଲିଗୁଡା ଅଭିମୁଖେ ଯାଉଥିବା ସମୟରେ ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିବା ଫଳରେ ଜଣେ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି।
ପ୍ରତ୍ୟକ୍ଷଦର୍ଶୀ ଓ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ: ଗାଡ଼ିଟି ବେଶ୍ ଦ୍ରୁତ ଗତିରେ ଆସୁଥିବା ବେଳେ ଏକ ବିପଜ୍ଜନକ ‘ୟୁ-ଟର୍ଣ୍ଣ’ରେ ନିୟନ୍ତ୍ରଣ ହରାଇ ବସିଥିଲା। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଗାଡ଼ିଟି ଯଦି ଆଉ ମାତ୍ର ୧୦ ମିଟର ଆଗକୁ ଯାଇଥାନ୍ତା, ତେବେ ସେଠାରେ ଥିବା ପ୍ରାୟ ୨୦୦ ମିଟର ଗଭୀର ଖାଦକୁ ଖସି ପଡ଼ିଥାନ୍ତା। ଭଗବାନଙ୍କ ଅଶେଷ କୃପାରୁ ଗାଡ଼ିଟି ପୂର୍ବରୁ ଓଲଟି ପଡ଼ିବାରୁ ଚାଳକ ଏବଂ ହେଲ୍ପର ନିଶ୍ଚିତ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଜି.ଉଦୟଗିରି ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ସ୍ଥାନୀୟ ଅଞ୍ଚଳର ପ୍ରତିଷ୍ଠିତ ବ୍ୟକ୍ତି ଅରୁଣ କୁମାର ଷଡଙ୍ଗୀ ଏବଂ ଅନ୍ୟ ଗ୍ରାମବାସୀମାନେ ତୁରନ୍ତ ଦୁର୍ଘଟଣାଗ୍ରସ୍ତ ଗାଡ଼ି ନିକଟରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହ ଚିକିତ୍ସା ପାଇଁ ନିକଟସ୍ଥ ମେଡିକାଲକୁ ପଠାଇବାରେ ସାହାଯ୍ୟ କରିଥିଲେ।

ପୋଲିସ ଗାଡ଼ିଟିକୁ ଜବତ କରିବା ସହ ଦୁର୍ଘଟଣାର ପ୍ରକୃତ କାରଣ କଣ—ଯାନ୍ତ୍ରିକ ତ୍ରୁଟି ନା ଚାଳକଙ୍କ ଅସାବଧାନତା, ସେ ନେଇ ଅଧିକ ତନାଘନା ଓ ତଦନ୍ତ ଜାରି ରଖିଛି। ସ୍ଥାନୀୟ ଅଞ୍ଚଳରେ ଏହି ଦୁର୍ଘଟଣାକୁ ନେଇ କିଛି ସମୟ ପାଇଁ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା।