ନିଶା ବେପାରୀ ସାବଧାନ ! ପାରାଦ୍ୱୀପରେ ପୋଲିସର କଡ଼ା ନଜର, ସାଇବର ଠକଙ୍କୁ ବି ଛାଡ଼ ନାହିଁ

ବନ୍ଦର ନଗରୀ ପାରାଦ୍ଵୀପ କୁ ଅପରାଧ ମୁକ୍ତ, ନିଶା ମୁକ୍ତ କରିବା ସହିତ ସାଇବର କ୍ରାଇମ କୁ ରୋକିବା ପାଇଁ ପାରାଦ୍ଵୀପ ଆଦର୍ଶ ଥାନା ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଥାନା ପକ୍ଷରୁ ପେଟ୍ରୋଲିଂ ବ୍ୟବସ୍ଥା କୁ କଡାକଡି କରାଯିବା ସହିତ ପ୍ରତ୍ୟେକ ମାସରେ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରାଯାଇ ପଦକ୍ଷେପ ଗ୍ରହଣ କରାଯାଉଛି। ଫଳରେ ପାରାଦ୍ଵୀପ ରେ ଅପରାଧିକ କାର୍ଯ୍ୟକଳାପ ଧିରେ ଧିରେ କମିବାରେ ଲାଗିଛି। ଜଗତସିଂହପୁର ଏସପିଙ୍କ ନିର୍ଦ୍ଦେଶରେ ବ୍ରାଉନ ସୁଗାର, ଚୋରା ମଦ ବ୍ୟବସାୟୀ ଙ୍କ ଉପରେ କଠୋରତା ଦେଖାଇଛି ପୋଲିସ। ଏନେଇ ପାରାଦ୍ଵୀପ ଆଦର୍ଶ ଥାନାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଦର୍ଶ ଥାନା ଆଇଆଇସି ବବିତା ଦେହୁରୀ, ଅତିରିକ୍ତ ଆଇଆଇସି ସନ୍ତୋଷ ବଳ ଯୋଗଦେଇ ଅପରାଧ ନିୟନ୍ତ୍ରଣ ଓ ଅବାଧ ବେଆଇନ୍ ନିଶାଦ୍ରବ୍ୟ ବିକ୍ରୟ ଉପରେ ଅଙ୍କୁଶ ଲଗାଇବା ପାଇଁ ପୋଲିସ କଡ଼ା ଆଭିମୁଖ୍ୟ ଗ୍ରହଣ କରୁଛି ବୋଲି ପ୍ରକାଶ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ପାରାଦ୍ଵୀପ ଆଦର୍ଶ ଥାନା ଅଧୀନରେ ଥିବା ୭ ଟି ଓ୍ବାର୍ଡ ର ପାରିଷଦ, ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ର କର୍ମକର୍ତ୍ତା ଓ ବୁଦ୍ଧିଜୀବି ଯୋଗ ଦେଇ ପୋଲିସ ସହିତ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ତେବେ ବର୍ତ୍ତମାନ ଅନଲାଇନ ମାଧ୍ୟମରେ ଠକେଇ ଏବଂ ଏଆଇ ଜରିଆରେ ନକଲି ଭିଡିଓ ସାଧାରଣ ଲୋକଙ୍କୁ ଭ୍ରମିତ କରିବା ସହିତ ଆର୍ଥିକ କ୍ଷତି ପହଞ୍ଚାଉଛି। ଏଥିପ୍ରତି ସଚେତନ ରହିବା ସହିତ ଯେକୌଣସି ସମସ୍ୟା ଉପୁଜିଲେ ସଙ୍ଗେ ସଙ୍ଗେ ପୋଲିସ କୁ ଜଣାଇବା ପାଇଁ ଥାନା ପକ୍ଷରୁ ଅନୁରୋଧ କରାଯାଇଛି।