
ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଓ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ କେନ୍ଦ୍ରୀଭୂତ ଥିବା ଗଭୀର ଅବପାତର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳ ସୁଦ୍ଧା ଏହା ବାରିପଦାଠାରୁ ୧୦ କି.ମି. ଦକ୍ଷିଣ-ପୂର୍ବ ଏବଂ ବାଲେଶ୍ୱରରୁ ୪୦ କି.ମି. ଉତ୍ତର-ପଶ୍ଚିମରେ ଅବସ୍ଥିତ ଥିଲା। ବୁଧବାର ଅପରାହ୍ନ ସୁଦ୍ଧା ଏହା ଉତ୍ତର ଓଡ଼ିଶା, ଦକ୍ଷିଣ ଝାଡ଼ଖଣ୍ଡ ଏବଂ ଉତ୍ତର ଛତିଶଗଡ଼ ଦେଇ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଅଗ୍ରସର ହେବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ଡ.ମନୋରମା ମହାନ୍ତି ସୂଚନା ଦେଇଛନ୍ତି।
୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୬୦ଟି ସ୍ଥାନରେ ପ୍ରବଳ, ୨୪ଟି ସ୍ଥାନରେ ପ୍ରବଳତର ଏବଂ ୫ଟି ସ୍ଥାନରେ ଅତି ପ୍ରବଳ ବର୍ଷା ହୋଇଛି। ସର୍ବାଧିକ ବାଲେଶ୍ୱରରେ, ୨୪୬.୬ ମି.ମି. ବର୍ଷା ହୋଇଥିବାରୁ ସୂଚନା ମିଳିଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ଏବଂ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ହେବାର ଅନୁମାନ କରାଯାଉଛି ।ଏପଟେ ପାଣିପାଗ ବିଭାଗ ବରଗଡ଼ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୂର୍ବାନୁମାନ କରି ଅରେଞ୍ଜ ୱାର୍ନିଂ ଜାରି କରିଛି। ସେହିପରି ଝଡ଼ବର୍ଷା ଓ ବଜ୍ରପାତ ଆଶଙ୍କାକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲ୍ଲା ପାଇଁ ୟେଲୋ ୱାର୍ନିଂ ଜାରି କରାଯାଇଛି।
ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ଗଭୀର ଅବପାତର ପ୍ରଭାବ ଯୋଗୁଁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ଲାଗି ରହିବ। ତେଣୁ ସାଧାରଣ ଲୋକଙ୍କୁ ସତର୍କ ରହିବା ସହ ସ୍ଥାନୀୟ ପ୍ରଶାସନ ଓ ପାଣିପାଗ ବିଭାଗର ପରାମର୍ଶ ପାଳନ କରିବାକୁ କୁହାଯାଇଛି।