
ଆଉ ଗୋଟିଏ ଦିନ ପରେ ପୁରା ଭାରତବର୍ଷ ପାଳନ କରିବାକୁ ଯାଉଛି ୮୦ତମ ସ୍ୱାଧୀନତା ଦିବସ।ଏହାକୁ ନେଇ କେନ୍ଦୁଝରରେ ବିଜେପି ପକ୍ଷରୁ ଦେଶପ୍ରେମ,ଜାତୀୟ ଏକତା ଓ ଅଖଣ୍ଡତାର ବାର୍ତ୍ତା ନେଇ ଏକ ବିଶାଳ ତ୍ରିରଙ୍ଗା ଯାତ୍ରାର ଆୟୋଜନ କରାଯାଇଥିଲା । ଜାତୀୟ ପତାକାର ମର୍ଯ୍ୟାଦା ଓ ଦେଶର ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ସହିଦମାନଙ୍କୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ଶୋଭାଯାତ୍ରାରେ ଦଳୀୟ କର୍ମୀ,ଯୁବମୋର୍ଚ୍ଚା ସଦସ୍ୟ ଓ ବହୁ ସମର୍ଥକ ଉତ୍ସାହର ସହ ସାମିଲ ହୋଇଥିଲେ।ବିଜେପି କାର୍ଯ୍ୟାଳୟରୁ ତ୍ରିରଙ୍ଗା ଯାତ୍ରାର ଶୁଭାରମ୍ଭ ହୋଇଥିଲା। ହାତରେ ତ୍ରିରଙ୍ଗା ପତାକା ଧରି ବହୁ ସଂଖ୍ୟାରେ ଯୁବକ ଓ କର୍ମୀ ଶୋଭାଯାତ୍ରାରେ ଆଗକୁ ବଢ଼ିଥିଲେ। ଦେଶପ୍ରେମର ନାରା ସହ ଶୋଭାଯାତ୍ରାଟି ଡିମ୍ବୋ ଗ୍ରାମ ଦେଇ ନେଲୁଙ୍ଗ ଅଭିମୁଖେ ଯାତ୍ରା କରିଥିଲା। ତ୍ରିରଙ୍ଗା ପତାକାରେ ଶୋଭା ପାଉଥିବା ଏହି ଯାତ୍ରା ରାସ୍ତାରେ ଯାଉଥିବା ସମୟରେ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିଲା।

ଶୋଭାଯାତ୍ରା ଡିମ୍ବୋ ଗ୍ରାମ ଦେଇ ଯିବା ସମୟରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା। ଜାତୀୟ ପତାକା ଧରି ଯୁବକମାନେ ଦେଶପ୍ରେମର ନାରା ଦେଇ ଆଗକୁ ବଢ଼ିବା ସହ ପରିବେଶକୁ ଉତ୍ସବମୁଖର କରିଥିଲେ। ଯାତ୍ରାରେ ସାମିଲ ହୋଇଥିବା କର୍ମୀ ଓ ସମର୍ଥକମାନେ ଦେଶର ଏକତା ଓ ଅଖଣ୍ଡତା ବଜାୟ ରଖିବା ନେଇ ସଚେତନତାର ବାର୍ତ୍ତା ଦେଇଥିଲେ।
ପରେ ତ୍ରିରଙ୍ଗା ଯାତ୍ରା ନେଲୁଙ୍ଗରେ ପହଞ୍ଚିଥିଲା। ସେଠାରେ ଶୋଭାଯାତ୍ରାକାରୀଙ୍କୁ ସ୍ଥାନୀୟ ଗ୍ରାମବାସୀଙ୍କ ପକ୍ଷରୁ ହେମନ୍ତ ମହାରଣାଙ୍କ ସମେତ ଅନ୍ୟ ଗ୍ରାମବାସୀଙ୍କ ପକ୍ଷରୁ ଉତ୍ସାହର ସହ ସ୍ୱାଗତ କରାଯାଇଥିଲା। ଗ୍ରାମବାସୀମାନେ ଶୋଭାଯାତ୍ରାରେ ସାମିଲ ଥିବା କର୍ମୀ ଓ ଯୁବକମାନଙ୍କୁ ସ୍ୱାଗତ ଜଣାଇବା ସହ ଜାତୀୟ ପତାକା ପ୍ରତି ସମ୍ମାନ ପ୍ରଦର୍ଶନ କରିଥିଲେ।
ଏହି ଯାତ୍ରାରେ ହାସ୍ୟାଭିନେତା ହରିହର ମହାପାତ୍ର ଅତିଥି ଭାବେ ଯୋଗଦେଇଥିଲେ। ଦେଶର ଅଖଣ୍ଡତା ସର୍ବୋପରି ବୋଲି ଉଲ୍ଲେଖ କରିବା ସହ ଦେଶର ଏକତା ଓ ସଂହତି ରକ୍ଷା ପାଇଁ ସମସ୍ତେ ସଚେତନ ହେବା ଆବଶ୍ୟକ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ। ହରିହରଙ୍କ ଉପସ୍ଥିତି ଯୁବମୋର୍ଚ୍ଚା କର୍ମୀଙ୍କ ଉତ୍ସାହକୁ ଆହୁରି ବଢ଼ାଇଥିଲା।
ଦେଶପ୍ରେମ ଓ ଜାତୀୟ ଏକତାର ବାର୍ତ୍ତାକୁ ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ଯୁବପିଢ଼ିଙ୍କ ମଧ୍ୟରେ ଦେଶ ପ୍ରତି ଦାୟିତ୍ୱବୋଧ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଥିଲା।

କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ରୁଦ୍ର ବେହେରା ଓ ଜିଲ୍ଲା ଯୁବମୋର୍ଚ୍ଚା ସମ୍ପାଦକ ଅକ୍ଷୟ ମହାରଣା,ବରିଷ୍ଠ ବିଜେପି ନେତା ଦିଲ୍ଲୀପ ପଣ୍ଡାଙ୍କ ସମେତ ବହୁ ଯୁବମୋର୍ଚ୍ଚା କର୍ମୀ ଓ ଦଳୀୟ ସମର୍ଥକ ଯୋଗଦେଇଥିଲେ। ଆୟୋଜକମାନଙ୍କ ମତରେ,ତ୍ରିରଙ୍ଗା କେବଳ ଏକ ଜାତୀୟ ପତାକା ନୁହେଁ,ଏହା ଦେଶର ଗୌରବ,ଏକତା ଓ ସ୍ୱାଧୀନତାର ପ୍ରତୀକ। ତେଣୁ ଯୁବପିଢ଼ିଙ୍କ ମନରେ ଦେଶପ୍ରେମର ଭାବନାକୁ ଆହୁରି ଦୃଢ଼ କରିବା ଓ ଜାତୀୟ ପତାକା ପ୍ରତି ସମ୍ମାନ ବଢ଼ାଇବା ପାଇଁ ଏଭଳି କାର୍ଯ୍ୟକ୍ରମ ଆୟୋଜନର ଗୁରୁତ୍ୱ ରହିଛି।