କାଳବୈଶାଖୀ ତାଣ୍ଡବରେ ୨ ମୃତ, ୪ ଗୁରୁତର

ଅଚାନକ ଆସିଲା, କେହିକିଛି ଭାବିବା ପୂରେବରୁ ଉଡାଇ ନେଲା ପବନ । କାଳବୈଶାଖୀ ତାଣ୍ଡବ ଯୋଗୁଁ ଚାଲିଗଲା ଦୁଇ ଜଣଙ୍କ ଜୀବନ । ଓଡ଼ିଶା-ଆନ୍ଧ୍ର ସୀମାନ୍ତରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ଆନ୍ଧ୍ରପ୍ରଦେଶର ପେଦାବାଇଲ ସାପ୍ତାହିକ ହାଟରେ ଅଚାନକ ଘଟିଥିବା ଏହି ଦୁର୍ଘଟଣାରେ ଦୁଇ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଚାରିଜଣ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅନ୍ତର୍ଗତ ଜରାଇ ଗାଁର ସୀତାମା ଖଡା ଓ ତିଲତମା ଖରା ବୋଲି ଜଣାପଡ଼ିଛି। ଏହି ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି । ସୂଚନା ଅନୁସାରେ, ପେଦାବାଇଲରେ ସାପ୍ତାହିକ ହାଟ ଚାଲିଥିବା ସମୟରେ ହଠାତ୍ ଆକାଶ ଘନାନ୍ଧାର ହୋଇ ପବନ ସହ ବର୍ଷା ଆରମ୍ଭ ହୋଇଥିଲା। କାଳବୈଶାଖୀର ପ୍ରଭାବରେ ଜୋର ଝଡ଼ ବହିବାରୁ ହାଟରେ ଥିବା ଲୋକମାନେ ଭୟଭୀତ ହୋଇ ନିଜ ଜୀବନ ବଞ୍ଚାଇବା ପାଇଁ ଏପଟ ସେପଟ ଦୌଡ଼ାଦୌଡ଼ି କରିଥିଲେ। ଏହି ସମୟରେ କିଛି ବୁଝିବା ପୂର୍ବରୁ ହାଟ ନିକଟରେ ଥିବା ଏକ ବିରାଟ ଗଛ ଉପୁଡ଼ି ପଡ଼ିଥିଲା। ଗଛ ତଳେ ଅନେକ ଲୋକ ଚାପି ହୋଇଯାଇଥିଲେ।

ଘଟଣାସ୍ଥଳରେ ଅସ୍ଥିର ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ସ୍ଥାନୀୟ ଲୋକମାନେ ଓ ପୋଲିସ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଆହତମାନଙ୍କୁ ଗଛ ତଳୁ ଉଦ୍ଧାର କରି ଆନ୍ଧ୍ରପ୍ରଦେଶର ପାଡେର ଡାକ୍ତରଖାନାକୁ ପଠାଯାଇଥିଲା। ସେଠାରେ ଚାରିଜଣଙ୍କ ଚିକିତ୍ସା ଚାଲିଥିବା ବେଳେ କିଛିଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି । ଘଟଣା ସମ୍ପର୍କରେ ଖବର ପାଇ ପଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡାମ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଥିଲେ। ସେ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତମାନଙ୍କ ଉତ୍ତମ ଚିକିତ୍ସା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। କାଳବୈଶାଖୀର ଏହି ଭୟାବହ ରୂପ ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି ।